ପ୍ରସିଦ୍ଧ ଜେନ୍ ସାଧୁ ନେନେ ଯୁବାବସ୍ଥାରେ ଯେତେବେଳେ ଗୁରୁ ଖୋଜିବା ଲାଗି ବାହାରିଲେ, ତାଙ୍କୁ ଅନେକ ଠିକଣା ମିଳିଲା। କିନ୍ତୁ ତାଙ୍କ ମନ କେଉଁଠି ବି ମାନିଲା ନାହିଁ। ସବା ଶେଷରେ ସେ ଯେଉଁ ଗୁରୁଙ୍କ ଠିକଣାରେ ପହଞ୍ଚିଲେ, ସେଇ ଗୁରୁ ନିଜ କୁଡ଼ିଆ ବାହାରେ ନିଶ୍ଚଳ ଓ ମୌନ ଭାବେ ବସିଥିଲେ। ନେନେଙ୍କୁ ସେଠାରେ ଦେଖିଲା ପରେ ବି ତାଙ୍କ ଠାରେ କୌଣସି ପ୍ରତିକ୍ରିୟା ଦେଖାଗଲା ନାହିଁ। ନେନେ ବି ସେଇ ବାରଣ୍ଡାରେ ଚୁପ୍ଚାପ୍ ତାଙ୍କ ପାଖରେ ବସି ପଡ଼ିଲେ।
କିଛି ସମୟ ପରେ ଗୁରୁ ଉଠିଲେ, ନିଜ ଲାଗି ଚା’ ତିଆରି କଲେ, ପିଇଲେ ଓ ପୁଣି ବସିଲେ। ସେ ଏମିତି ବ୍ୟବହାର କଲେ ଯେମିତି ନେନେ ସେଠାରେ ଆଦୌ ନାହାନ୍ତି। ନେନେ ବି ଉଠିଲେ, ଗୁରୁ କରିଥିବା ଭଳି ନିଜ ଲାଗି ଚା’ ତିଆରି କରି ପିଇଲେ ଓ ପୁଣି ସେଠାରେ ବସିଲେ। ଏମିତି ଚାଲିଲା ସାତ ଦିନ। ଗୁରୁ ଯାହା କରୁଥିଲେ, ନେନେ ତାହା କରୁଥିଲେ। କିନ୍ତୁ ଦୁହେଁ ଥିଲେ ମୌନ ଏବଂ ପରସ୍ପର ଲାଗି ଅନୁପସ୍ଥିତ। ସେମାନଙ୍କ ଭିତରେ ଭାଷାରେ, ଭାବରେ ବା ଠାରରେ କୌଣସି ପ୍ରକାର ସମ୍ଭାଷଣ ହିଁ ନ ଥିଲା।
ସାତ ଦିନ ପରେ ଗୁରୁ ପ୍ରଥମେ କହିଲେ- ମୁଁ ତୁମକୁ ସ୍ବୀକାର କଲି।
ନେନେ ପଚାରିଲେ- କିନ୍ତୁ ଆପଣ କାହିଁକି ମୋତେ ସ୍ବୀକାର କଲେ?
ଗୁରୁ କହିଲେ- ସାତ ଦିନ ଧରି ତୁମେ ମୋର ଛାଇ ଭଳି ରହିଛ, କିନ୍ତୁ ଶିଷ୍ୟ ହେବା ଲାଗି ଦାବି କରିନାହଁ। ତେଣୁ ମୁଁ ସ୍ବୀକାର କଲି।
ନେନେ କହିଲେ- ମୁଁ ଏହା ପୂର୍ବରୁ ବହୁ ଗୁରୁଙ୍କ ପାଖକୁ ଯାଇଛି। ସମସ୍ତେ ନିଜକୁ ଶ୍ରେଷ୍ଠ ଗୁରୁ ବୋଲି ଦାବି କରିବାରେ ବ୍ୟସ୍ତ ରହିଛନ୍ତି। କିନ୍ତୁ ଆପଣ ପ୍ରଥମ ଯେ କି ଗୁରୁ ହେବାର କୌଣସି ଦାବି କରି ନାହାନ୍ତି। ତାହା ହିଁ ଆପଣଙ୍କ ବୈଶିଷ୍ଟ୍ୟ। ଆପଣ ମୋତେ ସ୍ବୀକାର କରିଥିବାରୁ ମୁଁ କୃତକୃତ୍ୟ।
ନେନେଙ୍କ ଗୁରୁ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)