ଜଣେ ରାଜା ସଦ୍ଗୁରୁଙ୍କ ସନ୍ଧାନ କରୁଥିଲେ। ତାଙ୍କ ବିଚକ୍ଷଣ ମନ୍ତ୍ରୀ ରାଜାଙ୍କୁ ଯାହାଙ୍କ ପାଖକୁ ନେଇ ଗଲେ ସେ ସେତେବେଳକୁ କାଠ କାଟୁଥିଲେ। ରାଜା ଏଭଳି ଜଣେ ମଳିମୁଣ୍ଡିଆ ଲୋକକୁ ଦେଖି ଗୁରୁ ଭାବେ ଗ୍ରହଣ କରିପାରିଲେ ନାହିଁ। ତଥାପି ସେ ତାଙ୍କୁ କହିଲେ- ମୁଁ ଏ ରାଜ୍ୟର ରାଜା। ଜଣେ ସଦ୍ଗୁରୁଙ୍କୁ ଖୋଜୁଛି। ମନ୍ତ୍ରୀ ମହାଶୟ ମୋତେ ତୁମ ନିକଟକୁ ଆଣିଲେ। ମୁଁ ଜାଣିବାକୁ ଚାହେଁ, ତୁମର ସାଧନା କ’ଣ?
ସେହି କାଠକଟାଳି କହିଲେ- ମୋର ସାଧନା ହେଲା ମୁଁ ଭୋକ ହେଲେ ଖାଏ, ନିଦ ଲାଗିଲେ ଶୁଏ।
ରାଜା ଏଭଳି ଉତ୍ତରରେ ବିଚଳିତ ଦିଶିଲେ। ସେ କହିଲେ- ଏହା କ’ଣ ଏକ ସାଧନା? ଏହା ତ ସମସ୍ତେ କରନ୍ତି!
କାଠ କଟାଳି କହିଲେ- ନା, ଏହା ଏତେ ସହଜ ବ୍ୟାପାର ନୁହେଁ। ଲୋକେ ଭୋକ ନ ହେଲେ ବି ଖାଆନ୍ତି ବା ଭୋକ ଲାଗୁଥିଲେ ବି ନ ଖାଇ ଅନ୍ୟ କାମରେ ଲାଗିଥାଆନ୍ତି। ସେମିତି ନିଦ ନ ଲାଗିଲେ ବି ବିଛଣାକୁ ଯାଇ ପଡ଼ନ୍ତି ଓ ନିଦ ଲାଗୁଥିବା ବେଳେ ବି ଶୁଅନ୍ତି ନାହିଁ। ଦ୍ବିତୀୟ କଥା ହେଲା ତୁମେ ସିନା ଖାଅ, ପ୍ରକୃତରେ ସେତେବେଳେ ତୁମ ମନ ଆଉ କୋଉଠି ଥାଏ। ତୁମ ହୁଏତ ଗପସପରେ ବି ମାତି ଯାଇଥାଅ। କିନ୍ତୁ ମୁଁ ଖାଇଲା ବେଳେ କେବଳ ଖାଇଥାଏ। ସଂପୂର୍ଣ୍ଣ ରୂପେ ଜାଗ୍ରତ ରହି କେବଳ ତାହା ହିଁ କରିଥାଏ। ଏବେ ତୁମେ ଘରକୁ ଫେରି ଏ ଦୁଇଟି କାମ କରିବାକୁ ଚେଷ୍ଟା କର, ଦେଖିବ ଏହା ସାଧନା ଠାରୁ କମ୍ ନୁହେଁ।
ରାଜାଙ୍କ ଆଖି ଖୋଲିଗଲା। ସେ ବୁଝି ପାରିଲେ ଯେ ଏ ମଳିମୁଣ୍ଡିଆ ଜଣକ ପ୍ରକୃତ ପ୍ରାଜ୍ଞ।
ରାଜା ଓ ସଦ୍ଗୁରୁ
କଥାଟିଏ-ଯାଯାବର