ଗୋଟିଏ ମକା ଖେତରେ ବୁଢ଼ିଆଣିଟିଏ ବୁଣିଥିବା ଜାଲରେ ପୋକଟିଏ ପଡ଼ିଲା। ତାକୁ ବୁଢ଼ିଆଣି ଖାଇବାକୁ ଗଲା ବେଳେ ପୋକ କହିଲା- ମୋତେ ଛାଡ଼ିଦିଅ ଏବ˚ ମୁଁ ତୁମକୁ ଯାହା କହୁଛି ଶୁଣ। ତୁମେ ଏଠାରୁ ଶୀଘ୍ର ଚାଲିଯାଅ। କାରଣ ଅଳ୍ପ ଦିନ ପରେ ଜଣେ ଆସି ଫସଲ ଅମଳ କରିବ। ତା ପୂର୍ବରୁ ତୁମେ ଏ ଜାଗା ନ ଛାଡ଼ିଲେ ଅଯଥାରେ ପ୍ରାଣ ଦେବ।
ବୁଢ଼ିଆଣି ତାଚ୍ଛଲ୍ୟରେ କହିଲା- ମରିବୁ ବୋଲି କେତେ ଫନ୍ଦି କରୁଛୁ!
ପୋକଟି କହିଲା- ଫନ୍ଦି ନୁହେଁ, ସତ କହୁଛି। ଏଠି କେତେ ସୁନ୍ଦର ଯତ୍ନରେ ମକା ଗଛ ଲାଗିଛି। ଏହାର ଅର୍ଥ ଏହା ଆପଣା ଛାଏଁ ବଢ଼ିନାହିଁ। କେହି ଜଣେ ଏହାକୁ ଚାଷ କରିଛି। ଏବେ ମକା ବଡ଼ ହେଲାଣି। ତେଣୁ ସେ ନିଶ୍ଚୟ ଅମଳ କରିବାକୁ ଆସିବ।
ବୁଢ଼ିଆଣି କହିଲା- ମୁଁ ଜନ୍ମ ହେବା ପରେ ଦୀର୍ଘ ପନ୍ଦର ଦିନ ବିତିଗଲାଣି। ମୁଁ ଏଠି ପିଲାରୁ ବଡ଼ ହେଲି। ମୁଁ ଜନ୍ମ ହେଲା ବେଳକୁ ଏଇ ମକା ଥିଲେ, ଆଜି ବି ଅଛନ୍ତି। ମୁଁ ଜାଣେ ଏଗୁଡ଼ିକ କାଲି ବି ରହିବେ। ତୁ କ’ଣ ମୋ ଠାରୁ ଏ ଜାଗା ବିଷୟରେ ଅଧିକ ଜାଣୁ?
ପୋକ କହିଲା- ତୁମର ପନ୍ଦର ଦିନର ଆୟୁ ତୁମ ଲାଗି ବହୁତ ହୋଇପାରେ। କିନ୍ତୁ କାଳ ବକ୍ଷରେ ଏହା ଥାଇ ନ ଥିଲା ଭଳି। ତେଣୁ ଏ ପନ୍ଦର ଦିନ ଭିତରେ ତୁମେ ସବୁ କିଛି ଦେଖିଦେଇଛ ବୋଲି ଭାବନାହିଁ।
ବୁଢ଼ିଆଣି କହିଲା- ତୁ ବି ଭାବନା ଯେ ତୁ ସବୁ ଜାଣିଛୁ। ଏହା କହି ସେ ପୋକଟିକୁ ଖାଇଗଲା।
ଏହାର ଦୁଇ ଦିନ ପରେ ବୁଢ଼ିଆଣି ଜାଲ ବୁଣି ଛକି ବସିଥିଲା ବେଳେ ଜଣେ ଲୋକ ଆସିଲା, ଯାହାକୁ ସେ କେବେ ଦେଖି ନ ଥିଲା। ସେ ଯନ୍ତ୍ର ଲଗାଇ ଫସଲ ଅମଳ କରିବା ଆରମ୍ଭ କଲା। ବୁଢ଼ିଆଣି ସେଇଠି ମରି ମାଟିରେ ମିଶିଗଲା।
ବୁଢ଼ିଆଣିର ଆୟୁ କାଳ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/02/foot123.jpg)