ରାଜା ବିମ୍ବିସାର ମହାବୀର ଜୈନଙ୍କୁ ଦର୍ଶନ କରିବାକୁ ଦଳବଳ ସହ ଯାଉଥାଆନ୍ତି। ବାଟରେ ସେ ଦେଖିଲେ ତାଙ୍କ ପରମ ମିତ୍ର ରାଜା ପ୍ରସନ୍ନଜିତ ମହାବୀରଙ୍କ ଦ୍ବାରା ଦୀକ୍ଷିତ ହୋଇ ଜଣେ ଜୈନ ସାଧୁ ଭାବେ ତପସ୍ୟାରେ ବସିଛନ୍ତି। ରାଜା ପ୍ରସନ୍ନ ଆଖି ବୁଜି ମୂର୍ତ୍ତିବତ୍‌ ବସିଥାଆନ୍ତି। ବିମ୍ବିସାର ତାଙ୍କ ଧ୍ୟାନରେ ବାଧା ଦେବାକୁ ଚାହିଁଲେ ନାହିଁ। ତେବେ ପ୍ରସନ୍ନଙ୍କ ସାଧନା ଆଗରେ ତାଙ୍କ ମୁଣ୍ଡ ନଇଁଗଲା।
ଘୋର ଜଙ୍ଗଲ ଭିତରେ ମହାବୀରଙ୍କ ସହିତ ତାଙ୍କର ସାକ୍ଷାତ ହେଲା। ସେ ମହାବୀରଙ୍କୁ ପ୍ରଣିପାତ କରି କହିଲେ- ମହାଭାଗ, ମୁଁ ଜଣେ ଅଧମ ସଂସାରୀ। ମୋ ମିତ୍ର ପ୍ରସନ୍ନଙ୍କୁ ଓ ତାଙ୍କ ସାଧନାକୁ ମୁଁ ଏବେ ପ୍ରଣାମ ଜଣାଇ ଆସିଲି। ମୃତ୍ୟୁ ପରେ ସେ ନିଶ୍ଚୟ ସ୍ବର୍ଗ ଲାଭ କରିବେ।
ମହାବୀର କହିଲେ- କିନ୍ତୁ ତୁମେ ଯେତେବେଳେ ତାଙ୍କୁ ପ୍ରଣାମ କରୁଥିଲ, ସେତିକି ବେଳେ ମୃତ୍ୟୁବରଣ କରିଥିଲେ ସେ ନର୍କରେ ପଡ଼ିଥାଆନ୍ତେ।
ବିମ୍ବିସା‌ର ଅତ୍ୟନ୍ତ ବିସ୍ମିତ ହୋଇ କାରଣ ପଚାରିଲେ।
ମହାବୀର କହିଲେ- ତୁମେ ଯେତେବେଳେ ଆସୁଥିଲ ତୁମ ପଟୁଆରର ସବା ପ୍ରଥମେ ଥିବା ସୈନିକ ପାଟିରୁ ବାହାରି ପଡ଼ିଲା- ଅପଦାର୍ଥ ରାଜା, ମୁନି ହୋଇଛି! ଏଣେ ତା’ର ନାବାଳକ ପୁତ୍ରକୁ ଠକି ପାତ୍ରମନ୍ତ୍ରୀମାନେ ରାଜସଂପଦକୁ ଲୁଟିବାରେ ବ୍ୟସ୍ତ! ବାସ୍ ଏଇ କଥା ଯେମିତି ପ୍ରସନ୍ନଙ୍କ କାନରେ ବାଜିଲା ତାଙ୍କ ମନ ବଦଳିଗଲା। ସେ କ୍ରୋଧ ଜର୍ଜର ହୋଇ ତାଙ୍କ ମନ ଭିତରେ ତରବାରିଟିଏ ଧରି ତାଙ୍କ ଶତ୍ରୁମାନଙ୍କୁ ବଧ କରିବାକୁ ବାହାରି ପଡ଼ିଲେ। ଠିକ୍ ସେତିକି ବେଳେ ତୁମେ ତାଙ୍କୁ ପ୍ରଣାମ କରୁଥିଲ। ସେ ସେହି ସମୟରେ ଧ୍ୟାନରେ ଆଖି ବୁଜି ବସିଥିଲେ ସିନା ଅସଲରେ ଯୁଦ୍ଧ କରି ମନେ ମନେ ଶତ୍ରୁ ନିପାତ କରି ଚାଲିଥିଲେ। ସେହି ସମୟରେ ମୃତ୍ୟୁ ବରଣ କରିଥିଲେ ସେ ନର୍କକୁ ଯାଇଥାଆନ୍ତେ।