ଥରେ ୟୁଜିକେ ତାଙ୍କ ଅନୁଗାମୀମାନଙ୍କୁ ମୁଲ୍ଲା ନସିରୁଦ୍ଦିନଙ୍କୁ ନେଇ ଏହି କାହଣୀଟି କହିଲେ।
ମୁଲ୍ଲା ନସିରୁଦ୍ଦିନ ଥରେ ପାଚିଲା ଖଜୁରୀ ଦେଖି ତୋଳିବା ଲାଗି ଭାବିଲେ। ଗଛ ଚଢ଼ିବା ପୂର୍ବରୁ ଆକାଶକୁ ଚାହିଁ କହିଲେ- ହେ ଈଶ୍ବର, ଖଜୁରୀ ଗଛରେ ଚଢୁଛି। ଖଜୁରୀ ତୋଳି ପାରିଲେ ତୁମ ନାମରେ ଦଶ ଟଙ୍କା ଚଢ଼େଇବି। ଏହା ପରେ ସେ କଷ୍ଟେମଷ୍ଟେ ଗଛ ଚଢ଼ି ଖଜୁରୀ କାନ୍ଧି ନିକଟରେ ପହଞ୍ଚିଲେ। କିନ୍ତୁ ଖଜୁରୀତକ ହାତରେ ବାଜିଲା ମାତ୍ରକେ ଭାବନା ବଦଳିଗଲା। ସେ ଭାବିଲେ- ଦଶ ଟଙ୍କା ଟିକେ ଅଧିକ ହୋଇଯାଉନି?
କିନ୍ତୁ ଏତିକି ଭାବନା ଆସିଛି କି ନାହିଁ ତାଙ୍କ ଗୋଡ଼ ଖସିଗଲା ଓ ସେ ଦୁଲ କିନା ତଳେ ପଡ଼ିଲେ। ବଡ଼ କଷ୍ଟରେ ଉଠି ଅଣ୍ଟା ସଳଖେଇ ସେମିତି ଆକାଶକୁ ଚାହିଁ େସ କହିଲେ- ୟେ କ’ଣ ପ୍ରଭୁ? ଟିକିଏ ଥଟ୍ଟା ମଜା ବି ବୁଝି ପାରୁନ?
ଏହି ସମୟରେ ସ୍ବର୍ଗରୁ ବାଣୀ ଶୁଭିଲା- ମୁଲ୍ଲା, ସବୁ ବୁଝି ପାରୁଛି। ତୁ ଭାବିଥିଲୁ ଯେ ମୋତେ ଦଶ ଟଙ୍କା ଦେବୁ ବୋଲି କହିଲେ ମୁଁ ତୋ କଥାକୁ ଭରସା କରିଯିବି? ତୁ ପରା ଫଜଲୁ ଠୁ ପାଞ୍ଚ ଟଙ୍କା ନେଇ ଏ ଯାଏ ଶୁଝିନୁ ବୋଲି ତାକୁ ଲୁଚି କରି ବୁଲୁଚୁ?
କଥାଟି କହି ୟୁଜିକେ କହିଲେ- ବୁଝି ପାରୁଛ ଟି ଏହାର ମର୍ମ? ଆମେମାନେ ବିଭିନ୍ନ ମାନସିକ କରି ଭଗବାନଙ୍କୁ ଟଙ୍କା ପଇସା, ଗହଣାଗାଣ୍ଠି ଇତ୍ୟାଦି ଯାଚି ଅନେକ କିଛି ପାଇବାକୁ ଭାବିଥାଉଁ। କିନ୍ତୁ ପୃଥିବୀରେ ଆମମାନଙ୍କ ଆଚରଣ ଯାହା, ସେଥିରେ ଈଶ୍ବର ଆମ ଉପରେ ଭରସା କରି ପାରନ୍ତେ କି?
ଆମ ଉପରେ ଭରସା
କଥାଟିଏ-ଯାଯାବର