ଜେନ୍ ଗୁରୁ ନେନେ‌ ଥରେ ବସି ତାଙ୍କ ହାତ ପାପୁଲି ଦୁଇଟିକୁ ଗେଲ କରୁଥିଲେ। ଜଣେ ପଚାରିଲା- ହାତ ପାପୁଲିକୁ କାହିଁକି ଚୁମ୍ବନ ଦେଇ ଗେହ୍ଲା କରୁଛନ୍ତି?
ନେନେ କହିଲେ- କୃତଜ୍ଞତା ଜ୍ଞାପନ କରୁଛି!
ଅନୁଗାମୀ ପଚାରିଲେ- କୃତଜ୍ଞତା? କାହିଁକି?
ନେନେ କହିଲେ- ତୁମେ ବୋଧହୁଏ କେବେ ଧ୍ୟାନ ଦେଇ ନାହଁ ଯେ ତୁମ ଶରୀର ତୁମ ଲାଗି କ’ଣ କରୁଛି? ଜନ୍ମରୁ ମୃତ୍ୟୁ ଯାଏ ଆମ ଜୀବନକୁ ସ୍ବଚ୍ଛନ୍ଦ ଭାବେ ଚଳାଇ ରଖିବା ଲାଗି ଆମ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଯାହା ସବୁ କରି ଚାଲିଛନ୍ତି, ସେଥି ଲାଗି କେହି କେବେ ସେମାନଙ୍କୁ ଧନ୍ୟବାଦ ଦିଏ କି? ଗୋଡ଼ ଭାଙ୍ଗିଗଲେ ଜଣେ ବୁଝି ପାରେ ଯେ ସତରେ ଗୋଡ଼ଟି ତାକୁ କେତେ ସକ୍ଷମ କରି ନ ଥିଲା ସତେ? ତେଣୁ ନିଜର ସବୁ ଅଙ୍ଗକୁ ଅନ୍ତତଃ ଥରେ ଗେହ୍ଲା କର, ତାକୁ ଧନ୍ୟବାଦ ଦିଅ।
ନେନେ କହିଲେ- କାଲି ରାତିରେ ହଠାତ୍‌ ରୋଷେଇ ଘରେ ଗୋଟିଏ ତାଟିଆ ଖୋଲି ଦେଖେ ତ ତା ଭିତରେ ଥିବା ଭାତ ଶଢ଼ି ଗଲାଣି। ହଠାତ୍‌ ମନରେ ଭାବନା ଆସିଲା ଏହି ଭାତ ଶରୀର ଭିତରେ ଶଢ଼ିଥିଲେ ରକ୍ତ ଦୁଇ ବୁନ୍ଦା ତିଆରି କରିଥାଆନ୍ତା, ଶକ୍ତି ଦେଇଥାଆନ୍ତା। ସତରେ ଶରୀରଟିରେ କି ଅଲୌକିକ ବ୍ୟବସ୍ଥା ଈଶ୍ବର କରି ନାହାନ୍ତି ସତେ?
ତେଣୁ ଶରୀରକୁ ସବୁ ଦିନ ପ୍ରଣାମ କର।