ବୁଦ୍ଧତ୍ବ ପାଇବା ପରେ ଗୌତମ ଯେତେବେଳେ ନିଜ ପତ୍ନୀ ଓ ପିତାଙ୍କୁ ଭେଟିବାକୁ ବାହାରିଲେ ସେତିକି ବେଳେ ପଟ୍ଟଶିଷ୍ୟ ଆନନ୍ଦ ପ୍ରଶ୍ନ କଲେ- ତଥାଗତ, ଆପଣ ବୁଦ୍ଧ ହୋଇଗଲା ପରେ ଆପଣଙ୍କ ଠାରେ ଏ ମାୟା ପୁଣି କ’ଣ? ଗୌତମ ଶାନ୍ତ ଭାବେ ଉତ୍ତର ଦେଲେ- ଆନନ୍ଦ, ମୁଁ ସିନା ବୁଦ୍ଧତ୍ବ ପାଇ ସବୁଥିରୁ ମୁକ୍ତ ହୋଇଯାଇଛି। କିନ୍ତୁ ସେମାନେ ମୁକ୍ତ ହୋଇ ନାହାନ୍ତି। ଯଶୋଧାରାଙ୍କ ମନରେ ମୋ ପ୍ରତି ଗଭୀର କ୍ଷୋଭ ଓ ଅଭିମାନ ଅଛି। ତାଙ୍କୁ ସେଥିରୁ ମୁକ୍ତ କରିବାକୁ ପଡ଼ିବ।
ଦୀର୍ଘ ବାର ବର୍ଷ ପରେ ଗୌତମ ବୁଦ୍ଧ କପିଳବାସ୍ତୁକୁ ଫେରିଲେ। ସମ୍ମୁଖରେ ଗୌତମଙ୍କୁ ଦେଖିବା ପରେ ଯଶୋଧାରାଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା। ତା’ ପରେ ତାଙ୍କର ଆଖିରୁ ଦୁଃଖ ଓ ଅଭିମାନର ଲୁହ ଝରିବାକୁ ଲାଗିଲା। ହତାଶା ମିଶ୍ରିତ କ୍ଷୋଭରେ ସେ ବୁଦ୍ଧଙ୍କୁ ଗାଳି ଦେବାକୁ ଲାଗିଲେ- ତୁମେ ଯଦି ଯିବାକୁ ଚାହୁଁଥିଲ, କହିଲ ନାହିଁ କାହିଁକି? ମୁଁ କ’ଣ ତୁମକୁ ମନା କରିଥା’ନ୍ତି? କିନ୍ତୁ ତୁମେ ଏମିତି ଚୋରଙ୍କ ଭଳି ରାତିରେ ଲୁଚି ପଳାଇବାର କି ଆବଶ୍ୟକତା ଥିଲା? ଯଶୋଧାରା କହି ଚାଲିଥିଲେ ଏବ˚ ବୁଦ୍ଧ ନିରବରେ ଶୁଣି ଚାଲିଥିଲେ।
ଶେଷରେ ଯଶୋଧାରା କହି ଉଠିଲେ- କିଛି ତ କୁହ! ପାଷାଣ ମୂର୍ତ୍ତି ଭଳି କାହିଁକି ଛିଡ଼ା ହୋଇ ରହିଛ?
ବୁଦ୍ଧ ହସିଲେ ଓ କହିଲେ- କ’ଣ କହିବି ଯଶୋଧାରା। ଯିଏ ବାର ବର୍ଷ ଆଗରୁ ନିଶାର୍ଧରେ ତୁମ ଠାରୁ ଚୋର ଭଳି ଲୁଚି ପଳାଇଥିଲା, ଆଉ ଯିଏ ଆଜି ତୁମ ଆଗରେ ଛିଡ଼ା ହୋଇଛି ସେ ଏକା ବ୍ୟକ୍ତିି ନୁହେଁ। ବହୁତ କିଛି ବଦଳି ଯାଇଛି ଏଇ ଭିତରେ ଅଥଚ, ତୁମେ ସେଇ ପୁରୁଣା ଅଭିମାନ, କ୍ଷୋଭକୁ ନେଇ ଏ ଯାଏଁ ରହିଛ? ଏବେ ତୁମେ ତୁମର ସବୁ ରାଗ ଅଭିମାନ ବ୍ୟକ୍ତ କରିଦେଲ। ସୁତରା˚, ତୁମେ ଏବେ ମୁକ୍ତ। ଏବେ ମୋ ସହିତ ଆସ। ନିର୍ବାଣ ପଥରେ ଯାତ୍ରା ଆରମ୍ଭ କର।
ଏତିକିରେ ଯଶୋଧାରାଙ୍କ ଭିତରେ ଦେଖା ଦେଲା ଅଭୂତପୂର୍ବ ପରିବର୍ତ୍ତନ। ସେ ହୋଇଗଲେ କାରୁଣିକ ବୁଦ୍ଧଙ୍କ ଜଣେ ପରମା ଶିଷ୍ୟା।
ନିର୍ବାଣ ପଥରେ ଯାତ୍ରା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)