ତୁର୍କୀରେ ଏକ ଅପରାହ୍ଣ। ମୌଲାନା ଜଲାଲୁଦ୍ଦିନ ନଈ କୂଳରେ ବସି ଗୋଟିଏ ପୃଥୁଳକାୟ ପୁସ୍ତକ ପଢ଼ିବାରେ ବୁଡ଼ି ରହିଥିଲେ। ତାଙ୍କ ଚାରି ପାଖରେ ମଧ୍ୟ ରହିଥିଲା କିଛି ବିରଳ ପୁସ୍ତକ। ମୌଲାନା ଥିଲେ ସେହିଭଳି; ସେ ଯୁଆଡ଼େ ଯାଉଥିଲେ, ତାଙ୍କ ସହିତ ଯାଉଥିଲା ପୁସ୍ତକ ଓ ଗ୍ରନ୍ଥର ଗୋଟିଏ ବଡ଼ ପୁଟୁଳି। ଜଲାଲୁଦ୍ଦିନ ଥିଲେ ତାଙ୍କ ସମୟର ସର୍ବାଧିକ ଜ୍ଞାନୀ ମୌଲାନା, ଯାହାଙ୍କ ଠାରୁ ପଦେ ଶୁଣିବା ଲାଗି କିଛି କ୍ଷଣ ମଧ୍ୟରେ ହଜାର ହଜାର ଲୋକ ରୁଣ୍ଡ ହୋଇଯାଉଥିଲେ। ଇସଲାମ ଶାସ୍ତ୍ର ଓ ଦର୍ଶନରେ ତାଙ୍କ ଭଳି ବିଦ୍ବାନ ସମ୍ଭବତଃ କେହି ନ ଥିଲେ।
ସେ ଦିନ ପାଗ ଥିଲା ବେଶ୍ ମନୋରମ। ନଈ କୂଳରେ ଧୀର ସମୀରଣ ବହୁଥିଲା। ଏହି ସମୟରେ କାହାର ସ୍ପର୍ଶରେ ତାଙ୍କ ଧ୍ୟାନ ଭାଙ୍ଗିଗଲା। ଆଗରେ ଛିଡ଼ା ହୋଇଥିଲେ ଜଣେ ସୁଫି ଫକିର, ଭିକ୍ଷୁକ ଭଳି ଚେହେରା; ପାଗଳ ଭଳି ଦିଶୁଥିଲେ ମଧ୍ୟ।
ଫକିର ପଚାରିଲେ- କ’ଣ କରୁଛ?
ବିରକ୍ତ ହେଲେ ମୌଲାନା। ତାଙ୍କ ଅଧ୍ୟୟନରେ ବାଧା ସୃଷ୍ଟି ହୋଇଥିଲା। ମୁହଁ କୁଂଚିତ କରି ସେ କହିଲେ- ତୁମେ ବୁଝି ପାରିବ ନାହିଁ। ଏଠାରୁ ଯାଅ।
କିନ୍ତୁ ଫକିର ହଠାତ୍ କରି ବସିଲେ ଏକ ଅଭାବନୀୟ କାମ। ପାଖରେ ଥିବା ବହିତକ ନଈ ଭିତରକୁ ଫିଙ୍ଗି ଦେଲେ।
ଏଥିରେ ତଟସ୍ଥ ଓ କ୍ରୋଧ ଜର୍ଜର ମୌଲାନା ଉଠି ପଡ଼ି ଫକିରଙ୍କ କାନ୍ଧକୁ ଜୋରରେ ହଲାଇ ଦେଇ କହିଲେ- ହାୟ, ୟେ କ’ଣ କଲ? ୟେ କ’ଣ କଲ?
ଫକିର ଜଣକ ନିଜକୁ ସମ୍ଭାଳି ନେଇ କହିଲେ- ତୁମେ ବୁଝି ପାରିବ ନାହିଁ!
ଏହି ଉତ୍ତରରେ ହଠାତ୍ ଜଲାଲୁଦ୍ଦିନଙ୍କ ମନରେ ଯେମିତି ଦୀପଟିଏ ଜଳି ଉଠିଲା! ତାଙ୍କ ଭଳି ଜ୍ଞାନୀ ପୁଣ କ’ଣ ବୁଝି ପାରିବ ନାହିଁ?
ଜଲାଲୁଦ୍ଦିନ ପାଣିରୁ ବହି ତକ ଉଠାଇବାକୁ ଚେଷ୍ଟା କଲେ ନାହିଁ। ଧୀର ପଦବ୍ରଜରେ ଅନ୍ୟମନସ୍କ ଭାବେ ଘରକୁ ଫେରିଲେ। ଜ୍ଞାନ ବଦଳରେ ଏବେ ତାଙ୍କ ଭିତରେ ପ୍ରଜ୍ଞାର ଝର ଫିଟି ଯାଉଥିଲା; ମୁହଁରୁ ଗୁଣୁଗୁଣୁ ହୋଇ ଝରି ପଡ଼ିଲା କବିତାର କେଇ ଧାଡ଼ି। ଜଲାଲୁଦ୍ଦିନଙ୍କ ସ୍ଥାନରେ ମହାନ ସୁଫି କବି ରୁମିଙ୍କ ଜନ୍ମ ହୋଇଯାଇଥିଲା।
ରୁମିଙ୍କ ଜନ୍ମ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)