ଜଣେ ପଣ୍ଡିତଙ୍କ ଚପଲ ଖରାପ ହୋଇଯିବାରୁ ମରାମତି ଲାଗି ସେ ଜଣେ ମୋଚି ନିକଟକୁ ଗଲେ। ମୋଚି ତାହାକୁ ଦେଖି କହିଲେ- ଚପଲର ଅବସ୍ଥା ଏତେ ଖରାପ ଯେ ମରାମତି ଲାଗି ଦୁଇ ଦିନ ସମୟ ଲାଗିବ।
ପଣ୍ଡିତ ଅଡୁଆରେ ପଡ଼ିଲେ। ତାହା ହେଲେ ତାଙ୍କୁ ଦୁଇ ଦିନ ଲାଗି ଖାଲି ପାଦରେ ବୁଲିବାକୁ ହେବ। ଏହା ଦେଖି ମୋଚି ଜଣକ କହିଲେ- ଗୋଟିଏ କାମ କରନ୍ତୁ। ମୁଁ ଅନ୍ୟ ଜଣଙ୍କର ହଳେ ଜୋତା ସଜାଡ଼ି କରି ରଖିଛି। ଆପଣଙ୍କୁ ତାହା ହେବ। ଆପଣ ତାକୁ ପିନ୍ଧି ଦୁଇ ଦିନ ଚଳାଇ ଦିଅନ୍ତୁ।
ପଣ୍ଡିତ ଚମକି ପଡ଼ିଲେ। ସେ କହିଲେ- କାହାର ନା କାହର ଜୋତା, ତାକୁ ମୁଁ ପିନ୍ଧିବି? ମୁଁ ଜଣେ ଉଚ୍ଚ ଜାତିରେ ଜନ୍ମିତ ପଣ୍ଡିତ। ମୋତେ ତୁମେ ଏଭଳି ପରାମର୍ଶ ଦେଉଛ? ଏହା କହି ସେ ଏକ ଶ୍ଳୋକ ମଧ୍ୟ ଆବୃତ୍ତି କରି ପକାଇେଲ।
ଏହା ଶୁଣି ମୋଚି ଜଣକ ହସିଲେ। ସେ ଥିଲେ ପ୍ରକୃତରେ ଜଣେ ପ୍ରାଜ୍ଞ। ସେ କହିଲେ ମହାଶୟ, ଅନ୍ୟର ଜ୍ଞାନ, ଅନ୍ୟ କେହି ରଚନା କରିଥିବା ଶ୍ଳୋକ, ଅନ୍ୟ କେହି ଲେଖିଥିବା ଶାସ୍ତ୍ର ଆଦି ଧାରଣ କରି ଆପଣ ଆଜି ଜଣେ ପଣ୍ଡିତ, ଅଥଚ ଅନ୍ୟର ଜୋତା ପିନ୍ଧିବା ଲାଗି ଆପଣ ଅରାଜି?
ଚମକି ପଡ଼ିଲେ ପଣ୍ଡିତ। ସତେ ତ? ଅନ୍ୟ କାହାର ପୋଷାକ ପିନ୍ଧିବା ବା ଅନ୍ୟ କାହା ଦ୍ବାରା ବ୍ୟବହୃତ ଦ୍ରବ୍ୟ ବ୍ୟବହାର କରିବାକୁ ଆମେ ଅପମାନ ଭାବେ ଦେଖୁ, କିନ୍ତୁ ଅନ୍ୟର ଜ୍ଞାନକୁ ନେଇ ନିଜର ପାଣ୍ଡିତ୍ୟ ପ୍ରଦର୍ଶନ କରିବାରେ ତିଳେ ମାତ୍ର ସଂକୋଚ କରୁନା!
ସେ କହିଲେ- ସତ କହୁଛନ୍ତି। ସେହି ଜୋତା ହଳକ ଦିଅନ୍ତୁ।
ପରର ଜିନିଷ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)