ଜଣେ ମନୋଚିକିତ୍ସକ ଆତ୍ମହତ୍ୟା କଲେ। ସହରର ଲୋକମାନଙ୍କ ଭିତରେ ଚାଞ୍ଚଲ୍ୟ ଖେଳିଗଲା। କେହି ଏହାକୁ ବିଶ୍ବାସ କରି ପାରିଲେ ନାହିଁ। କାରଣ ମନୋଚିକିତ୍ସକ ଥିଲେ ଜେଣ ଅତ୍ୟନ୍ତ ସଫଳ ଚିକିତ୍ସକ। ଅନେକ ବିଷାଦଗ୍ରସ୍ତ ବ୍ୟକ୍ତିଙ୍କୁ ସେ ଯଥାର୍ଥ ପରାମର୍ଶମାନ ଦେଇ ସେମାନଙ୍କୁ ଆତ୍ମହତ୍ୟା କରିବାର ଦ୍ବାର ଦେଶରୁ ଫେରାଇ ଆଣିବାରେ ସମର୍ଥ ହୋଇଥିଲେ। ଅଥଚ ସେ ନିଜେ କେମିତି ଏଥିରେ ବିଫଳ ହେଲେ? ୟୁଜିକେଙ୍କୁ ସେମାନେ ଏ ପ୍ରଶ୍ନ ପଚାରିବାରୁ ୟୁଜିକେ ସେମାନଙ୍କୁ ଛୋଟ କାହାଣୀଟିଏ କହିଲେ।
ଗୋଟିଏ ଡଙ୍ଗାରେ କିଛି ଲୋକ ଯାଉଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଜଣେ ବିଦ୍ବାନ, ଯିଏ ସନ୍ତରଣ କରିବାର ବିଭିନ୍ନ ଉପାୟ ଉପରେ ବହିଟିଏ ଲେଖି ଖୁବ୍ ଆଦର ପାଇଥିଲେ। ଦୁର୍ଭାଗ୍ୟକୁ ସେହି ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇ ଡୁବି ଗଲା। ତହିଁରେ ଥିବା ସବୁ ଯାତ୍ରୀ ପହଁରି ନଈ ପାର ହୋଇଗଲେ, କେବଳ ବିଦ୍ବାନ ଜଣକ ବୁଡ଼ି ଯାଉଥିବା ବେଳେ ନାଉରି ତାଙ୍କୁ ବଞ୍ଚାଇଲା। କୂଳରେ ପହଞ୍ଚି ସାଷ୍ଟମ ହେବା ପରେ ବିଦ୍ବାନ କହିଲେ ମୋତେ ଧିକ୍, ମୋ ଜ୍ଞାନକୁ ଧିକ୍। ଏହାର କାରଣ ପହଁରା ବାବଦ ପୋଥି ଜ୍ଞାନ ଓ ଗବେଷଣା ବଳରେ ବଳୀୟାନ ହୋଇ ପରାମର୍ଶ ବା ଉପଦେଶ ଦେବା ଓ ସେଥିରେ ଅନେକଙ୍କୁ ପ୍ରଭାବିତ କରିପାରିବା ଗୋଟିଏ କଥା; କିନ୍ତୁ ନିଜେ ପହଁରି ଜାଣି ନ ଥିଲେ ପହଁରା-ଜ୍ଞାନୀ ହୋଇ ବି ଡୁବି ମରିବା ସାର ହେବ।