ଜଣେ ଅତ୍ୟନ୍ତ ଧନୀ ବଣିକଙ୍କ ପତ୍ନୀଙ୍କ ବେକରୁ ବହୁ ମୂଲ୍ୟବାନ ହାରଟି କେଉଁଠି ଖସି ପଡ଼ିଲା। ଦୁଇ ଦିନ ପରେ ଜଣେ ବ୍ୟକ୍ତି ତାହା ତାଙ୍କ ପାଖକୁ ଫେରାଇବାକୁ ଆଣିଲେ। ତାଙ୍କ ସାଧୁତା ଲାଗି ବଣିକ ତାଙ୍କୁ ପୁରସ୍କାର ଦେବାକୁ ସ୍ଥିର କଲାରୁ ବ୍ୟକ୍ତିଜଣକ କହିଲେ- ମୁଁ ଏ ହାରଟି ପାଇବା ପରେ ତାକୁ ଘରକୁ ନେଇ ଆସିଲି। ଅତି ବିରଳ ଓ ବହୁ ମୂଲ୍ୟବାନ ରତ୍ନପଥର ଖଚିତ ଏ ଚମତ୍କାର ସୁନା ହାର ପାଇବା ପରେ ଏହାକୁ ନିଜ ପାଖରେ ରଖିଦେବାର ମୋହ ମୋତେ ଗ୍ରାସି ଗଲା। ଦୁର୍ଯୋଗକୁ କିଛି ସମୟ ପୂର୍ବରୁ ମୋ ଟଙ୍କା ମୁଣିଟି କେଉଁଠି ଖସି ପଡ଼ିଥାଏ। ତେଣୁ ମୁଁ ମନେ ମନେ ଭାବିଲି ଭଗବାନ ମୋ କ୍ଷତିର ଭରଣା ଏଇ ବାଟେ କରିଛନ୍ତି। ମୋ ମନରେ ବହୁ ପ୍ରଶ୍ନ ଉଠୁଥାଏ ଓ ତା’ର ଉତ୍ତର ବି ମୁଁ ମନେ ମନେ ଦେଉଥାଏ। ମୁଁ ନିଜକୁ କହୁଥାଏ, ଯାହାର କେହି ଦାବିଦାର ନାହାନ୍ତି ତାକୁ ଯିଏ ପାଇଲା ଜିନିଷ ତା’ର ବା ଏ ହାର ଯାହାର ହୋଇଥିବ, ସେ ନିଶ୍ଚିତ ଏତେ ଧନୀ ହୋଇଥିବ ଯେ ଏହାକୁ ହରାଇବା ତାକୁ ବାଧିବ ନାହିଁ।
ଏମିତି କେତେ କ’ଣ ଭାବି ଘରେ ପହଞ୍ଚିଲା ବେଳକୁ ଦେଖେ ଜଣେ ଅତ୍ୟନ୍ତ ଦରିଦ୍ର ଜୀର୍ଣ୍ଣଶୀର୍ଣ୍ଣ ବ୍ୟକ୍ତି ମୋ ଟଙ୍କା ମୁଣିଟି ଧରି ପହଞ୍ଚିଛନ୍ତି।
ମୁଁ ପ୍ରଥମେ ଅତ୍ୟନ୍ତ ଖୁସି ହୋଇଗଲି। ତା’ ପରେ ସେ ବ୍ୟକ୍ତିଙ୍କୁ କହିଲି- ଆପଣ ଅତ୍ୟନ୍ତ ଦରିଦ୍ର ଭଳି ଦିଶୁଛନ୍ତି। ଆପଣ ତ ଏହି ଟଙ୍କା ସବୁ ନିଜ ଲାଗି ରଖିପାରିଥାଆନ୍ତେ। ଫେରାଇଲେ କାହିଁକି?
ସେ ବ୍ୟକ୍ତି କହିଲେ- ମୁଁ ଦରିଦ୍ର ଓ କ୍ଷୁଧାର୍ତ୍ତ ହୋଇଥିଲେ ବି ଧାଡ଼ିଏ କଥାରେ ବିଶ୍ବାସ କରେ। ତାହା ହେଲା, ଯାହା ଭଲ ତାକୁ ଭଲ ବୋଲି ପ୍ରମାଣିତ କରିବାକୁ ଯୁକ୍ତି ଲୋଡ଼ା ପଡ଼େନାହିଁ। ତେଣୁ ଅଭାବରେ ବି ମୋ ସ୍ବଭାବ ନଷ୍ଟ ହୋଇନାହିଁ।
ଏହା ଶୁଣି ମୁଁ ସିଧା ଏ ହାର ଫେରାଇବାକୁ ଆସିଲି। କାରଣ ମୁଁ ତ ତାଙ୍କ ଭଳି ଅଭାବଗ୍ରସ୍ତ ନୁହେଁ।
ହାର ଫେରାଇଲି କାହିଁକି?
କଥାଟିଏ-ଯାଯାବର