ଗୋଟିଏ କଥା ପାରସ୍ୟର ରାଜାଙ୍କୁ ବିଚଳିତ କରିଦେଲା। କଥା ହେଲା, ରାଜା ଛଦ୍ମ ବେଶରେ ବୁଲୁଥିବା ବେଳେ କିଛି ଲୋକ କଥା ହେଉଥିବାର ଶୁଣିଲେ। ସେଠି ସନ୍ଥ ଫିରୋଜ କହୁଥିଲେ- ସବୁ ରାଜା ଅନ୍ଧ!
ଲୋକେ ପଚାରିଲେ- ଆମ ରାଜା?
ଫିରୋଜ କହିଲେ- କହିଲି ପରା ସବୁ ରାଜା!
ଏଇ କଥାରେ ରାଜା ଖୁବ୍‌ ବିଚଳିତ ହୋଇଗଲେ। ସେ ସନ୍ଥ ଫିରୋଜଙ୍କୁ ଖୁବ୍‌ ମାନୁଥିଲେ। ସେ ତାଙ୍କୁ ଡକାଇ ପଚାରିଲେ- ସତରେ କ’ଣ ସବୁ ରାଜା ଅନ୍ଧ? ମୁଁ ମଧ୍ୟ?
ଫିରୋଜ କହିଲେ- ଏହା ତ ସତ କଥା। କିନ୍ତୁ ବଡ଼ କଥା ହେଲା ଦୃଷ୍ଟିହୀନ ନ ହେଲେ ରାଜା ହେବା ଅସମ୍ଭବ।
ରାଜା କହିଲେ- ମୋତେ ବୁଝାନ୍ତୁ ଆପଣ ଏମିତି କାହିଁକି କହୁଛନ୍ତି?
ଫିରୋଜ କହିଲେ- ତୁମେ ଦୃଷ୍ଟିହୀନ ହୋଇ ରହିବାକୁ ଚାହଁ ନା ନାହିଁ? ଯଦି ତୁମେ ଦୃଷ୍ଟିହୀନ ହୋଇ ରହିବାକୁ ଚାହଁ ନାହିଁ, ତେବେ ମୋ ସହିତ ରାଜଧାନୀ ବାହାରକୁ ଚାଲ, ମୋ ସହିତ ଛଅ ମାସ ସମୟ ବିତାଅ। କିନ୍ତୁ ଯୁବରାଜଙ୍କୁ ରାଜ କାର୍ଯ୍ୟର ଦାୟିତ୍ବ ‌େଦଇ ଯାଅ।
ରାଜା ଏହା ଶୁଣି ଯୁବରାଜଙ୍କୁ ଗାଦିରେ ବସାଇ ତୁରନ୍ତ ଫିରୋଜଙ୍କ ସହିତ ଚାଲିଲେ। ଫିରୋଜ ଥିଲେ ବୈରାଗୀ। ସୁଫି ଫକିର। ପାଖରେ ଆଦୌ କୌଣସି ସଂପଦ ନ ଥିବା ସତ୍ତ୍ବେ ଜଣେ କିଭଳି ମହାନନ୍ଦରେ ମସ୍ତ ମୌଲା ହୋଇ ରହିପାରେ, ତାହା ରାଜା ତାଙ୍କ ଜୀବନରେ ପ୍ରଥମେ ଦେଖି‌େଲ। କ୍ରମେ ତାଙ୍କୁ ରାଜପଦ, ଐଶ୍ବର୍ଯ୍ୟ, କ୍ଷମତା ଇତ୍ୟାଦି ସବୁ କିଛି କୃତ୍ରିମ, ନିରର୍ଥକ ଏପରିକି ତୁଚ୍ଛ ଲାଗୁଥିଲା।
ଛଅ ମାସ ପରେ ଯେତେବେଳେ ଫିରୋଜ ରାଜାଙ୍କୁ ଉଆସକୁ ଫେରି ଯିବାକୁ କହିଲେ, ସେତିକି ବେଳକୁ ରାଜା କହିଲେ- ଉଆସକୁ ଫେରିବି ନାହିଁ। ଫିରୋଜ ପଚାରିଲେ- କାହିଁକି?
ରାଜା କହିଲେ- ଆଉ ମୁଁ ଦୃଷ୍ଟିହୀନ ହୋଇ ନାହିଁ। ମୋ ଆଖି ଖୋଲି ଯାଇଛି। ସେ ଦିନ ଆପଣ କହିଥିବା କଥାର ମର୍ମ ମୁଁ ବୁଝି ପାରିଛି।