ଜଣେ ଗୁଣୀ ଶିଷ୍ୟ ଥରେ ଗୁରୁଙ୍କୁ ଏକୁଟିଆ ପାଇ ସନ୍ତର୍ପଣରେ କହିଲା- ଗୁରୁଦେବ, ଆପଣଙ୍କ ପାଖରେ ଶିକ୍ଷା ଲାଭ କରୁଥିବା ପ୍ରତ୍ୟେକ ଶିଷ୍ୟ ପରିମାର୍ଜିତ ହେଉଛନ୍ତି, ସ˚ସ୍କାରୀ ହେଉଛନ୍ତି ସତ, କିନ୍ତୁ ଗୋଟିଏ କଥା ସେମାନଙ୍କୁ ଛାଡୁନାହିଁ। ସେ କଥାଟି ହେଲା ଅନ୍ୟ ଜଣଙ୍କ ବିଷୟରେ ପଛରେ ଆଲୋଚନା କରିବା।
ଗୁରୁ କହିଲେ- ଏମିତି ହେଉଛି? କିଏ କିଏ ଏମିତି କରୁଛନ୍ତି କୁହ ତ? ସମସ୍ତେ ତ କରୁ ନ ଥିବେ!
ଶିଷ୍ୟ କହିଲା- ଆଜ୍ଞା, ପର ଚର୍ଚ୍ଚା କରିବା ମୋତେ ସବୁଠାରୁ ଖରାପ ଲାଗେ ବୋଲି ମୁଁ ଅତ୍ୟନ୍ତ ସଚେତନ ଭାବେ ସେଥିରୁ ଦୂରେଇ ରହିଥାଏ, କିନ୍ତୁ ମୁଁ ଦେଖେ ଅନ୍ୟମାନେ ତାହା ଅନାୟାସରେ କରନ୍ତି।
ଗୁରୁ କହିଲେ- ନା, ନା ସମସ୍ତେ ଏଭଳି କଦର୍ଯ୍ୟ କାମଟି କରୁଥିବେ ବୋଲି ମୁଁ ବିଶ୍ବାସ କରିପାରୁନାହିଁ। ରମାକାନ୍ତ, ଗୋପାଳବଲ୍ଲଭ, ସୋମଦେବଙ୍କ ଭଳି ଅତ୍ୟନ୍ତ ଗୁଣୀ ଶିଷ୍ୟମାନେ ଏଭଳି କାମ କରୁଛନ୍ତି?
ଶିଷ୍ୟ କହିଲା- ଆପଣ ଯେଉଁମାନଙ୍କ ନାମ ନେଲେ ସେମାନେ ସମସ୍ତେ ଆପଣଙ୍କ ପଟ୍ଟ ଶିଷ୍ୟ ବୋଲି ମୁଁ ଜାଣେ। ସେମାନେ ଅବଶ୍ୟ ସକଳ ଭଲ ଗୁଣର ଅଧିକାରୀ। କିନ୍ତୁ ସେମାନେ ମଧୢ ପର ଚର୍ଚ୍ଚା କରନ୍ତି। ଉପରେ ସେମାନେ ପରସ୍ପରକୁ ସ୍ନେହ କରନ୍ତି ବୋଲି ଦେଖାଇ ହୁଅନ୍ତି, କିନ୍ତୁ ଜଣଙ୍କର ଅନୁପସ୍ଥିତିର ସୁଯୋଗ ନେଇ ଅନ୍ୟ ଜଣେ ତା’ର ନିନ୍ଦା କରେ। ସୋମଦେବ ସେମାନଙ୍କ ଭିତରେ ସବୁଠାରୁ ଅଧିକ। ସେ ଗୋପାଳବଲ୍ଲଭଙ୍କୁ ଆଦୌ ସହିପାରନ୍ତି ନାହିଁ।
ଗୁରୁ କହିଲେ- ଏମିତି କଥା? କିନ୍ତୁ ତୁମେ ଏଥିରୁ ଦୂରରେ ତ?
ଶିଷ୍ୟ ଏବେ ହଠାତ୍‌ ଚୁପ୍ ପଡ଼ିଗଲେ। କାରଣ ସେ ଗୁରୁଙ୍କ ପ୍ରଶ୍ନର ଅର୍ଥ ବୁଝିପାରିଲେ। କାରଣ ସେ ଏବେ ଯାହା କରୁଥିଲେ ତାହା ମଧ୍ୟ ପର ଚର୍ଚ୍ଚା।