ମୁଲ୍ଲା ନସିରୁଦ୍ଦିନ ଥରେ ବଡ଼ି ଭୋରରେ ଛାତ ଉପରକୁ ଯାଇ ପ୍ରକୃତିର ମନୋରମ ଦୃଶ୍ୟ ଦେଖି ବିମୋହିତ ହୋଇଗଲେ। ସେ ଭାବିଲେ ଘର ଦୁଆର ମୁହଁରେ ବନ୍ଧା ହୋଇଥିବା ତାଙ୍କ ଗଧ କାହିଁକି ଏଭଳି ଦୃଶ୍ୟ ଦେଖିବାରୁ ବଞ୍ଚିତ ହେବ! ତେଣୁ ସେ ଗଧକୁ ଛାତ ଉପରକୁ ଆଣିବାକୁ ଗଲେ। ଗଧ ବା କାହିଁକି ପାହାଚ ଚଢ଼ନ୍ତା! ଘଣ୍ଟାଏ କାଳ ଗଳଦ୍ଘର୍ମ ପରିଶ୍ରମ କରି ଗଧଟିକୁ ସେ କୌଣସିମତେ ଛାତ ଉପରକୁ ଚଢ଼ାଇ ପାରିଲେ। କିନ୍ତୁ ସେ ଦେଖିଲେ ଯେ ଗଧଟି ତାଙ୍କ ଭଳି ମୁଗ୍ଧ ହେଉନାହିଁ; ଖାଲି କନକନ ହେଉଛି, ତରକୁଛି। ଏଣୁ ବିରକ୍ତିରେ ସେ ଗଧକୁ ତଳକୁ ଓହ୍ଲାଇବାକୁ ବାହାରିଲେ।
ଏବେ ଗଧ ଆଉ ଟିକିଏ ହେଲେ ବି ଚଙ୍କିଲା ନାହିଁ। ପାହାଚ ତଳକୁ ଓହ୍ଲାଇବା ଲାଗି ଜୋର ଜବରଦସ୍ତ କଲାରୁ ଗଧଟି ଏମିତି ଡେଇଁଲା ଯେ ତାଙ୍କ ହାତରୁ ଦଉଡ଼ିଟି ଖସିଗଲା। ଗଧ ଏବେ ଛାତ ଉପରେ ପାଗଳ ଭଳି ଦୌଡ଼ିଲା। ମୁଲ୍ଲା ବି ତା’ ସହିତ ଯୁଝାଯୁଝି ହେଲା ବେଳକୁ ଗଧ ଏମିତି ଧକ୍କାଟିଏ ଦେଲା ଯେ ସେ ସିଧା ଛାତରୁ ତଳକୁ ଗଳି ପଡ଼ିଲେ। ତା’ ପର ମୁହୂର୍ତ୍ତେର ଗଧ ବି ସେଇ ବାଟେ କୁଦା ମାରି ତାଙ୍କ ଉପରେ ଆସି ପଡ଼ିଲା। ଏବେ ହାଡ଼ଗୋଡ଼ ଭାଙ୍ଗି ଡାକ୍ତରଖାନାରେ ପଡ଼ିଥିବା ମୁଲ୍ଲାଙ୍କୁ ଦେଖିବାକୁ ଆସିଲେ ତାଙ୍କ ବନ୍ଧୁ ଫଜଲୁ। ଫଜଲୁକୁ ମୁଲ୍ଲା କହିଲେ- ଫଜଲୁ ଏଥିରୁ ମୁଁ ଯେଉଁ ଶିକ୍ଷା ପାଇଲି, କହିଲେ ନ ସରେ। ତୁ ବି ମୋ କଥା ମାନିବୁ।
ଫଜଲୁ ପଚାରିଲା- ମୁଲ୍ଲା କେଉଁ ଶିକ୍ଷା?
ମୁଲ୍ଲା କହିଲେ ଶିକ୍ଷାଟି ହେଲା କେବେ ହେଲେ ଗଧମାନଙ୍କୁ ଛାତ ଉପରକୁ ନେଇ ଯିବ ନାହିଁ। ସେଭଳି କଲେ ସେମାନେ ତୁମକୁ ତଳେ ପକାଇ ଦେଇ ତୁମ ଉପରେ ନିଜେ ଆସି ପଡ଼ିବେ ଓ ତୁମେ ଡାକ୍ତରଖାନାରେ ଶଢ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/foot-kathatia.jpg)