କଥାଟିଏ ଯାଯାବର, ଦକ୍ଷତାର ମୂଲ୍ୟ

ମୁଲ୍ଲା ନସିରୁଦ୍ଦିନ ତାଙ୍କ ପୁଅକୁ ଗୋଟିଏ ଶିକ୍ଷା ଦେଇ କର୍ମକ୍ଷେତ୍ରକୁ ପଠାଇଲେ। ତାହା ଥିଲା- ଦକ୍ଷତାର ପାରୁପର୍ଯ୍ୟନ୍ତ ଉପଯୋଗ କରିବ। କାରଣ ତାହା ହିଁ କାମ ଦେଖାଇବ। ମୁଲ୍ଲାଙ୍କ ପୁଅ ସେ କଥାକୁ ଗଣ୍ଠିରେ ବାନ୍ଧି ଜୀବିକା ଅର୍ଜନ କରିବାକୁ ବାହାରିଗଲା।
ସେ ଯେଉଁ କାମ କଲା, ତହିଁରେ ତାର ଦକ୍ଷତାର ଭରପୂର ଉପଯୋଗ କରିବା ଲାଗି ସୁଯୋଗ ଥିଲା। ସୁତରା˚, ବାପାଙ୍କ କଥା ମାନି ସେ କାମରେ ଲାଗିଗଲା। କିନ୍ତୁ ସେ ହତାଶ ହେଲା, ଯେତେବେଳେ ସେ ଦେଖିଲା ଯେ କାମ ନ କରି କେବଳ ଚିକ୍କଣିଆ କଥା କହି କିଛି ଲୋକ ଉପରକୁ ଉଠିଯାଉଛନ୍ତି। ସେ ଏତେ ଭଲ କାମ କରି ବି ବିଶେଷ ଉନ୍ନତି ହାସଲ କରିପାରୁନାହିଁ।
ତେଣୁ ସେ ହତାଶ ହୋଇ ଦିନେ ମୁଲ୍ଲାଙ୍କୁ ସେହି କଥା କହିଲା। ସେ କହିଲା- ବାପା ତୁମ ଉପଦେଶ କିଛି କାମ କଲା ନାହିଁ। ଖଟି ଖଟି ଜୀବନ ଯାଉଛି ହେଲେ, ଲୋକେ ଚିକ୍କଣିଆ କଥା କହି ଉପରକୁ ଉଠୁଛନ୍ତି। ଦକ୍ଷତାର ମୂଲ୍ୟ ନାହିଁ।
ମୁଲ୍ଲା ଏ କଥା ଶୁଣି ଟିକିଏ ହସିନେଲେ ଓ କହିଲେ- ପୁଅ ତୁ ମୋ କଥାର ଭୁଲ ଅର୍ଥ ବାହାର କରୁଛୁ। ମୁଁ ଏବେ ବି କହେ ଯେ ଦକ୍ଷତା ହିଁ କାମ ଦେଖାଏ। ତୁ ଧରି ନେଲୁ ଯେ ମୁଁ କାମ କରିବାର ଦକ୍ଷତା କଥା କହୁଛି। କିନ୍ତୁ ପୁଅ ଚାପୁଲୁସି କରିବା, ଚିକ୍କଣିଆ କଥା କହି କାମ ହାସଲ କରାଇ ନେବା ବି ଗୋଟିଏ ଦକ୍ଷତା। ସେଥିରେ ଯିଏ ଦକ୍ଷ ତାର ଉନ୍ନତି ହେଲା। ଦକ୍ଷତା ହିଁ କାମ ଦେଖାଏ।
ପୁଅ କହିଲା- ତାହା ହେଲେ ମୁଁ ବି ସେମିତି କରିବି।
ମୁଲ୍ଲା କହିଲେ- ସେ ଆଶା ଛାଡ଼। ସେମିତି କରିବା ଲାଗି ତୁ ଦକ୍ଷ ନୁହେଁ। ତେଣୁ ମିଛରେ ହଟହଟା ହେବୁ। ଯେଉଁ କାମଟି ପାଇଛୁ, ତାକୁ ବି ହରାଇବୁ। ତେଣୁ ତୁ ଯେଉଁଥିରେ ଦକ୍ଷ ତାହା କରି ଚାଲ। ଆଉ କିଛି ନ ହେଲେ ନାହିଁ ତୋ ଜୀବିକା ତ ବଞ୍ଚି ରହିବ। ଭାଗ୍ୟ ବଦଳିଲେ ତୁ ତୋ କାମ ଲାଗି ବି ଉପରକୁ ଉଠିପାରିବୁ।

ସମ୍ବନ୍ଧିତ ଖବର