ଅନୁକରଣ କାହିଁକି?

କଥାଟିଏ ଯାଯାବର

ଗୋଟିଏ ଗାଁକୁ ଜଣେ ସନ୍ନ୍ୟାସୀ ଆସିଲେ। ତାଙ୍କ ଜ୍ଞାନ, ପ୍ରଜ୍ଞା ତଥା ପ୍ରଭାରେ ମୋହିତ ହୋଇ ଜଣେ ଯୁବକ ପରିବାର ଛାଡ଼ି ତାଙ୍କ ପାଖକୁ ଚାଲି ଆସିଲା। ସନ୍ନ୍ୟାସୀ ଯେତେବେଳେ ଗାଁ ଛାଡ଼ି ଯିବାକୁ ବସିଲେ, ସେତିକି ବେଳେ ସେ ବି ବାହାରିଲା। ସନ୍ନ୍ୟାସୀ ଦେଖିଲେ ସେ ବି ତାର ପୋଷାକ ପତ୍ର ଛାଡ଼ି ଗେରୁଆ ବସ୍ତ୍ର ପିନ୍ଧିଛି। ସନ୍ନ୍ୟାସୀଙ୍କ ଭଳି କମଣ୍ତଳଟିଏ ଧରିଛି।

ସନ୍ନ୍ୟାସୀ ତାକୁ ପଚାରିଲେ କିରେ ତୁ କୁଆଡେ଼ ବାହାରିଲୁ?
ଯୁବକ କହିଲା- ମୁଁ ଆପଣଙ୍କ ଭଳି ହେବାକୁ ଚାହେଁ।
ସନ୍ନ୍ୟାସୀ ନିଜେ ବସିପଡ଼ିଲେ ଏବ˚ ତାକୁ ବସିବାକୁ କହି ଗପଟିଏ ଆରମ୍ଭ କଲେ।
ଥରେ ରାମବାବୁ ଚାହିଁଲେ ମହାତ୍ମା ଗାନ୍ଧୀଙ୍କ ଭଳି ହେବେ ବୋଲି। ସେ ପୂରା ନିରାଡ଼ମ୍ବର ହୋଇଗଲେ। ମହାତ୍ମା ଗାନ୍ଧୀ ଯେମିତି ଲୁଗା ପିନ୍ଧନ୍ତି ସେମିତି ପିନ୍ଧିଲେ। ସେମିତି ବାଡ଼ିଟିଏ ଧରିଲେ। ମହାତ୍ମାଙ୍କ ବିଚାର ବିଷୟରେ ଜାଣିବା ଲାଗି ଦିନ ରାତି ଏକାକାର କରି ତାଙ୍କ ଦ୍ବାରା ଲିଖିତ ବହିସବୁ ପଢ଼ିବାକୁ ଲାଗିଲେ। ଏମିତି ସେ ବହୁତ ପରିଶ୍ରମ କଲେ। କିନ୍ତୁ ସେ ଦେଖିଲେ ଯେ ସେ ମହାତ୍ମା ଗାନ୍ଧୀଙ୍କ ଭଳି ହୋଇ ପାରୁ ନାହାନ୍ତି।
ଦିନେ ଏ ବିଷୟରେ ଭାବୁ ଭାବୁ ବିରସ ଭାବେ ଶୋଇପଡ଼ିଲେ। ଏଇ ସମୟରେ ଭଗବାନ ତାଙ୍କ ସ୍ବପ୍ନରେ ଆସିଲେ।

ଭଗବାନ ତାଙ୍କୁ ପଚାରିଲେ- ରାମ, କାହିଁକି ମନ କଷ୍ଟ କରିଛୁ କି ?
ରାମ ବାବୁ କହିଲେ- ପ୍ରଭୁ ମୋ ଜୀବନର କେବଳ ଗୋଟିଏ ଲକ୍ଷ୍ୟ ହେଲା କେମିତି ମହାତ୍ମା ଗାନ୍ଧୀଙ୍କ ଭଳି ହେବି! ମୁଁ କିନ୍ତୁ ସେଥିରେ ସଫଳ ହୋଇ ପାରୁନାହିଁ।
ଭଗବାନ କହିଲେ- ରାମ, ତୁ ବାୟାଟା କିରେ? ମୁଁ ଯଦି ଆଉ ଜଣେ ମହାତ୍ମା ଗାନ୍ଧୀ ଚାହିଥାଆନ୍ତି, ତେବେ ଆଉ ଗୋଟିଏ ତିଆରି କରି ନ ଥାଆନ୍ତି? ତୁ ଥରେ ବିଚାର କରି ଦେଖ। ତୋର ଆୟୁଷ ସରିଲା ପରେ ଯେତେବେଳେ ତୋ କର୍ମର ବିଚାର ହେବ ସେତିକି ବେଳେ ମୁଁ ପଚାରିବି କି ହଇରେ ରାମ ତୁ ଭଲ ମହାତ୍ମା ଗାନ୍ଧୀଟିଏ ହୋଇ ପାରିଲୁ ନାହିଁ କାହିଁକି? ବର˚ ମୁଁ ତୋତେ ପଚାରିବି ବାବୁରେ, ତୁ ଭଲ ରାମଟିଏ ହେବାରେ ଅସୁବିଧା କେଉଁଠି ଥିଲା?
ଗପଟି କହିସାରି ସନ୍ନ୍ୟାସୀ କହିଲେ- ବାବୁ କାହାକୁ ଅନୁକରଣ କରନାହିଁ, ତୁମେ ଯାହା ସେଥିରେ ଯେମିତି ଭଲରୁ ଆହୁରି ଭଲ ହେବ, ସେ ଦିଗରେ ଚେଷ୍ଟା କର।

ସମ୍ବନ୍ଧିତ ଖବର