ଗୁରୁ ଦୁଇ ଜଣ ତରୁଣ ସାଧୁଙ୍କୁ କୌଣସି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ପଠାଇଲେ। ପଥ ଦୁର୍ଗମ ଥିଲା। ଜଣେ ସାଧୁ ଏକୁଟିଆ ଯିବାକୁ ଭୟ କଲେ ବୋଲି ଗୁରୁ ତାଙ୍କ ସହିତ ଆଶ୍ରମର ସବୁଠାରୁ ଅଧିକ ସାହସୀ ସାଧୁଙ୍କୁ ପଠାଇଥିଲେ।
ବର୍ଷା କାଳ। ବାଟରେ ପଡ଼ିଲା ଏକ ନଈ। ନଈରେ ବଢ଼ି ହୋଇ ପାଣି କୂଳ ଲଂଘୁ ଥାଏ। ଭୟାଳୁ ସାଧୁ କହିଲେ- କେମିତି ଯିବା? ବନ୍ୟା କମୁ।
ସାହସୀ ସାଧୁ କହିଲେ- ବନ୍ୟା କମିବାକୁ ଅପେକ୍ଷା କଲେ ବହୁତ ବିଳମ୍ବ ହୋଇଯିବ। ତେଣୁ ପହଁରି ପହଁରି ପାର ହୋଇଯିବା।
ଭୟାଳୁ ସାଧୁ ଛେପ ଢୋକି କହିଲେ- ପହଁରି ପାର ହେବା? ପୁଣି ଏମିତି ବଢ଼ିଲା ନଈ‌ରେ?
ସାହସୀ ସାଧୁ କହିଲେ- ତୁମେ ତାହା ହେଲେ ଏହିଠାରେ ରହିଯାଅ। ମୁଁ ଆର ପଟକୁ ଯାଇ ଗୁରୁଙ୍କ ଆଦେଶ ମୁତାବକ କାମଟି ସାରି ଦେଇ ଫେରୁଛି।
ଭୟାଳୁ ସାଧୁ କିଛି କହିବା ପୂର୍ବରୁ ଆର ଜଣକ ବଢ଼ିଲା ନଈରେ ଲମ୍ଫ ମାରି ସାରିଥିଲେ। ଭୟାଳୁ ସାଧୁ ଏବେ ଆଉ କିଛି ଉପାୟ ନ ପାଇ କୂଳରେ ବସି ଭଗବାନଙ୍କୁ ଡାକିବାକୁ ଲାଗିଲେ।
ସଂଧ୍ୟା ଉପନୀତ ହେଲା। ବନ୍ୟା ସେମିତି କୂଳ ଲଂଘୁଥାଏ। ହଠାତ୍ ସାହସୀ ସାଧୁ ପାଣିରୁ ଉଠିଲେ। ସେ ଗୁରୁଙ୍କ କାମଟି ସାରି ଫେରିଥିଲେ। କୂଳରେ ବସିଥିବା ସାଧୁଙ୍କ ପିଣ୍ଡରେ ପ୍ରାଣ ପଶିଲା।
ଉଭୟେ ଆଶ୍ରମକୁ ଫେରିବା ବେଳେ ଭୟା‌ଳୁ ସାଧୁ ପ୍ରଶ୍ନ କଲେ- ତୁମକୁ ଡର ମାଡ଼ିଲା ନାହିଁ।
ସାହସୀ କହିଲେ- ବହୁତ ଡର ମାଡ଼ୁଥିଲା। କିନ୍ତୁ ମୁଁ ଭୟକୁ ଅତିକ୍ରମ କଲି। ସାହସୀ ଓ ଭୟାଳୁ ମଧ୍ୟରେ ସେତିକି ପ୍ରଭେଦ। ସାହସୀ ଯେ ଭୟଶୂନ୍ୟ, ଏ କଥା କିଏ କହିଲା?