କରୁଣାର ଶସ୍ତ୍ର

କଥାଟିଏ-ଯାଯାବର

ଗୋଟିଏ ଜଙ୍ଗଲରେ ରହୁଥିଲା ଜଣେ ଅତି ଦୁଷ୍ଟ ଡକାୟତ। ଜଙ୍ଗଲ ଦେଇ ଯାଉଥିବା ଲୋକଙ୍କୁ ହତ୍ୟା କରି ସେ ଲୁଟପାଟ କରୁଥିଲା। ସେ ରାଜ୍ୟର ରାଜା ବହୁତ ଚେଷ୍ଟା କରି ମଧୢ ତାକୁ କାବୁ କରି ପାରିଲେ ନାହିଁ। ଦିନେ ସେଇ ଡକାୟତ କୌଣସି ଏକ ବନ୍ୟ ଜନ୍ତୁର ଆକ୍ରମଣରେ ଗୁରୁତର ଭାବେ ଆହତ ହେଲା। ସେ ପ୍ରାୟ ମରଣର ଦ୍ବାର ଦେଶରେ ଥିଲା ବେଳେ ଜଣେ ବ୍ୟକ୍ତି ସେଇ ବାଟ ଦେଇ ଗଲେ। ସେ ଜାଣିଲେ ଯେ ଆହତ ଲୋକଟି ହେଉଛି ସେହି ଡକାୟତ ଏବ˚ ସେ ଏହା ବି ଜାଣିଥିଲେ ଯେ ଡକାୟତଟି ମରିଗଲେ ଅନେକ ସମସ୍ୟା ଦୂର ହୋଇଯିବ। କିନ୍ତୁ ସେ ତାକୁ ଛାଡ଼ିଦେଇ ଗଲେ ନାହିଁ। ତାର ଚିକିତ୍ସାର ବ୍ୟବସ୍ଥା କଲେ, ଡକାୟତଟି ଭଲ ହୋଇଗଲା। କିନ୍ତୁ ଜଙ୍ଗଲରେ ଆଉ ଡକାୟତି ହେଲା ନାହିଁ। ସମସ୍ତେ ଆଶ୍ବସ୍ତ ହେଲେ। ସମସ୍ତେ ଭାବିଲେ ଯେ ସେ ମରିଗଲା। ଥରେ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ରାଜା ଓ ମନ୍ତ୍ରୀ ବାଟବଣା ହୋଇଗଲେ। ରାତି ମାଡ଼ି ଆସିଲା। ରାଜା ଓ ମନ୍ତ୍ରୀଙ୍କ ଉପରେ ବିପଦ ଘନେଇ ଆସିଲା। ଏହି ସମୟରେ ସେଠାରେ ଉପସ୍ଥିତ ହେଲା ସେହି ଡକାୟତ। ସେ ଉଭୟଙ୍କୁ ସାଷ୍ଟାମ କରି ଜଙ୍ଗଲ ବାହାରେ ନେଇ ଛାଡ଼ିଲା।

ରାଜା ତାର ପରିଚୟ ମାଗନ୍ତେ, ସେ କହିଲା- ମଣିମା, ମୁଁ ସେହି ଡକାୟତ, ଯାହାକୁ ନିପାତ କରିବାକୁ ଆପଣ ଚାହୁଁଥିଲେ ଅଥଚ ପାରି ନ ଥିଲେ। କିନ୍ତୁ ସତ କହିଲେ, ଆଜି ସେହି ଡକାୟତ ମରି ସାରିଛି। ଏବ˚ ତାକୁ ମାରିଛି ଜଣେ କରୁଣାବନ୍ତ ବ୍ୟକ୍ତିଙ୍କ କରୁଣାର ଅସ୍ତ୍ର। ତାଙ୍କ ଋଣ ଶୁଝାଇବାକୁ ମୁଁ ଜଙ୍ଗଲରେ ବାଟବଣାଙ୍କୁ ବାଟ ଦେଖାଉଛି। ଆପଣ ଯଦି ସେତେବେଳେ ମୋତେ ମାରି ଦେଇଥାଆନ୍ତେ, ଆଜି ଆପଣଙ୍କୁ ଜଙ୍ଗଲ ଭିତରେ ବାଟ ଦେଖାଇବାକୁ କେହି ନ ଥାଆନ୍ତେ!
ଏତିକି କହି ଡକାୟତ ପୁଣି ଜଙ୍ଗଲ ଭିତରକୁ ଚାଲିଗଲା।

ସମ୍ବନ୍ଧିତ ଖବର