ଚୀନ ଓ ଜାପାନରେ ପ୍ରାୟ ସମସ୍ତେ ବୌଦ୍ଧ ଧର୍ମାବଲମ୍ବୀ ହୋଇଥିଲେ ବି ଆମିଷ ଆହାର କରନ୍ତି। କିନ୍ତୁ ବୌଦ୍ଧ ଧର୍ମ ଜୀବଙ୍କ ପ୍ରତି ହିଂସାର ତୀବ୍ର ବିରୋଧୀ। ପୁଣି କଥିତ ଅଛି ଯେ ସ୍ବୟଂ ଗୌତମ ବୁଦ୍ଧ ପଚା ମାଂସର ବ୍ୟଂଜନ ଖାଇବା ଜନିତ ଅସୁସ୍ଥତାରୁ ମୃତ୍ୟୁ ବରଣ କରିଥିଲେ। ତେବେ ଏଭଳି ବିରୋଧାଭାସ କାହିଁକି? ଏହାକୁ ନେଇ ଗୋଟିଏ ଛୋଟ କାହାଣୀ ରହିଛି। ଗୌତମ ବୁଦ୍ଧଙ୍କ ଅନୁଶାସନ ଥିଲା ଯେ ତାଙ୍କ ଶିଷ୍ୟମାନେ ଭିକ୍ଷୁ ହେବେ। ଏହି ବୌଦ୍ଧ ଭିକ୍ଷୁମାନେ ଭିକ୍ଷା କରିବେ ଏବଂ ଭିକ୍ଷା ପାତ୍ରରେ ଯାହା ପଡ଼ିବ, କେବଳ ସେତିକି ‌ହିଁ ହେବ ସେମାନଙ୍କ ଭୋଜନ। ଭିକ୍ଷାପାତ୍ରରେ କିଛି ନ ପଡ଼ିଲେ ଭିକ୍ଷୁ ଉପବାସରେ ରହିବେ।

Advertisment

ତେବେ, ଗୃହସ୍ଥମାନେ ବୁଦ୍ଧଙ୍କ ନୀତି ଓ ଆଦର୍ଶକୁ ସମ୍ମାନ ଜଣାଇ ଭିକ୍ଷା ପାତ୍ରରେ କେବଳ ନିରାମିଷ ଦ୍ରବ୍ୟ ହିଁ ଭିକ୍ଷା ସ୍ବରୂପ ଦେଉଥିଲେ। କିନ୍ତୁ ଦିନେ ଏକ ବିଚିତ୍ର ଘଟଣା ଘଟିଲା। ଗୋଟିଏ କାଉ ଉଡ଼ି ଯାଉଥିବା ବେଳେ ତା’ରି ଥଣ୍ଟରୁ ମାଂସ ଖଣ୍ଡଟିଏ ଜଣେ ଭିକ୍ଷୁର ପାତ୍ରରେ ଖସି ପଡ଼ିଲା। ଏବେ ଆସିଲା ବିଚାରର ଦ୍ବନ୍ଦ୍ବ। ସେ କରିବ କ’ଣ? ଭିକ୍ଷା ପାତ୍ରରେ ପଡ଼ିଥିବାରୁ ମାଂସ ଖଣ୍ଡଟି ଖାଦ୍ୟ ଲାଗି ଉଦ୍ଦିଷ୍ଟ। ଏଣେ ଆମିଷ ଖାଇବା‌ ବୁଦ୍ଧଙ୍କ ନୀତି ଅନୁସାରେ ନିଷିଦ୍ଧ। ବୁଦ୍ଧଙ୍କ ଆଗରେ ଏହି ପ୍ରଶ୍ନ ରଖାଗଲା। ବୁଦ୍ଧ କହିଲେ- ନିୟମ ହେଉଛି ଭିକ୍ଷା ପାତ୍ରରେ ଯାହା ପଡ଼ିଛି ତାହା ଭକ୍ଷଣଯୋଗ୍ୟ। ସେଥିରେ ପୁଣି ବଛାବଛି କରିବାର କଥା ରହିଲେ ଭିକ୍ଷୁମାନେ କାଳ କ୍ରମେ ନିଜ ରୁଚି ଅନୁସାରେ ଖାଦ୍ୟ ଖାଇବେ, ଅରୁଚିକର ଦ୍ରବ୍ୟ ଭିକ୍ଷା ପାତ୍ରରୁ ହଟାଇ ଦେବ। ତାହା ସୁବିଧାବାଦକୁ ଜନ୍ମ‌ ଦେବ। ତେଣୁ ନିୟମ ଯେ ଭିକ୍ଷା ପାତ୍ରରେ ଯାହା ପଡ଼ିବ, ‌ତାହା ଭୋଜନ ଯୋଗ୍ୟ ହେବ। ପୁଣି କାଉ ମୁହଁରୁ ଆହାର ଖସିବା ଏକ ବିରଳ ବ୍ୟତିକ୍ରମ। ସେଥି ଲାଗି ଏହି ନିୟମକୁ ବଦଳା ଯାଇ ପାରିବ ନାହିଁ। କିନ୍ତୁ ଏହା ସହିତ ବୌଦ୍ଧ ଭିକ୍ଷୁମାନେ ଆମିଷ ଖାଇବାର ମାର୍ଗ ବି ଫିଟିଗଲା।