ଜଣେ ଦୁଷ୍ଟ ରାଜା ଥିଲେ। ଥରେ କୌଣସି କାରଣରୁ ସେ ମହାମନ୍ତ୍ରୀଙ୍କ ଉପରେ ରାଗିଗଲେ ଏବ˚ ତାଙ୍କୁ ମୃତ୍ୟୁଦଣ୍ତାଦେଶ ଦେଲେ। ମହାମନ୍ତ୍ରୀଙ୍କ କୌଣସି ଦୋଷ ନ ଥିଲା। ଯେଉଁ ଦିନ ମହାମନ୍ତ୍ରୀଙ୍କୁ ବଧ ଭୂମିକୁ ନିଆଗଲା ସେ ଦିନ ସେ ନିଜ ଏକମାତ୍ର ପୁତ୍ରକୁ ଭେଟିବା ଲାଗି ଚାହିଁଲେ। ଶେଷ କ୍ଷଣରେ ସେ ପୁଅର କାନରେ କହିଲେ- ପୁଅ ପ୍ରତିଶୋଧ ନେବାକୁ ଭୁଲିବୁ ନାହିଁ। କିନ୍ତୁ ମନ୍ତ୍ରୀଙ୍କ ପୁଅ ଥିଲେ ବିଦ୍ବାନ, ବିବେକୀ ଓ କ୍ଷମାଶୀଳ। ସେ ଯେ କେମିତି ନିଜ ବାପାଙ୍କ ଏଭଳି ଅନ୍ୟାୟୋଚିତ ମୃତ୍ୟୁର ପ୍ରତିଶୋଧ ନେବେ ସେ କଥା ଭାବି ପାରିଲେ ନାହିଁ।
ଦିନେ ସୁକୁମାର ଶିଶୁ ରାଜପୁତ୍ର ଗାଏବ ହୋଇଗଲେ। କେହି ତାଙ୍କୁ ଅପହରଣ କରିନେଲା। ରାଜାଙ୍କ ଉଦ୍ଦେଶ୍ୟରେ ଚିଠିଟିଏ ଥିଲା ଯେ ପ୍ରତିଶୋଧ ନେବା ଲାଗି ରାଜପୁତ୍ରଙ୍କୁ ଅପହରଣ କରାଯାଇଛି। ସେଇ ଚିଠିରୁ ରାଜା ଜାଣି ପାରିଲେ ଯେ ଏ କାମ ମନ୍ତ୍ରୀଙ୍କ ପୁଅର। ମନ୍ତ୍ରୀଙ୍କ ପୁଅକୁ ଖୋଜିବା ଲାଗି ସେ ସୈନ୍ୟ ବଳକୁ ପୂରା ଦମ୍‌ରେ ଲଗାଇଦେଲେ। କିନ୍ତୁ କିଛି ଲାଭ ହେଲା ନାହିଁ। ରାଜା ଭାବି ନେଲେ ଯେ ମନ୍ତ୍ରୀଙ୍କ ପୁଅ ରାଜପୁତ୍ରଙ୍କୁ ହତ୍ୟା କରି କେଉଁଠି ପୋତି ଦେଇଛନ୍ତି।
ଅନେକ ବର୍ଷ ବିତିଗଲା। ହଠାତ୍‌ ରାଜ ଦରବାରରେ ଜଣେ ସୁଦର୍ଶନ ଯୁବକର ଆବିର୍ଭାବ ହେଲା। ସାଙ୍ଗରେ ତାଙ୍କର ଯାହା ସନ୍ତକ ଥିଲା, ସେଥିରୁ ଜଣାପଡ଼ିଗଲା ଯେ ୟେ ହେଉଛନ୍ତି ସେଇ ଅପହୃତ ରାଜକୁମାର। ପୁଅକୁ ପାଇ ରାଜା ଓ ରାଣୀ ସବୁକିଛି ଭୁଲିଗଲେ। ରାଜପୁତ୍ରଙ୍କୁ ପାଇ ରାଜଉଆସ ଉତ୍ସବମୁଖର ହୋଇଉଠିଲା।
ମନ୍ତ୍ରୀଙ୍କ ପୁଅ ଶିଶୁ ରାଜକୁମାରଙ୍କୁ ଅପହରଣ କରି ନିଜର ପ୍ରତିଶୋଧ ନେବାର ସବୁ ବ୍ୟବସ୍ଥା କରି ସାରିଥିଲେ। କାରଣ ସେ ରାଜପୁତ୍ରଙ୍କୁ ଅତି ବିବେକୀ ଓ ବିଦ୍ବାନ ଯୁବକରେ ପରିଣତ କରିଦେଇଥିଲେ। ସୁତରା˚, ପ୍ରଥମ ଦିନରୁ ହିଁ ରାଜପୁତ୍ର ଓ ଦୁଷ୍ଟ ରାଜାଙ୍କ ଭିତରେ ମନୋମାଳିନ୍ୟର ସୂତ୍ରପାତ ହୋଇଗଲା। ରାଜପୁତ୍ର ମୂଳରୁ ରାଜାଙ୍କ ହାବଭାବ ଓ କାରବାରର ବିରୋଧୀ ହୋଇ ଉଠିଲେ। ତା’ ପରେ ଜୀବନ ଯାକ ରାଜା ଆଉ ଶାନ୍ତି ପାଇଲେ ନାହିଁ। ଏକମାତ୍ର ପୁତ୍ରର ବିରୋଧରେ ଦୁଷ୍ଟ ରାଜା ମନ କଷ୍ଟରେ ବ୍ୟାଧିଗ୍ରସ୍ତ ହୋଇ ଶେଷରେ ଦୁଃଖ ପାଇ ମଲେ।