ଜଣେ ଚାଷୀର ଦୁଇଟି ବଳଦ ଥିଲେ। ସେମାନଙ୍କୁ ଚାଷୀ ବହୁତ ଖଟାଉଥିଲା। କେବଳ ଯେ ସେମାନେ ଚାଷ ଲାଗି କାନ୍ଧରେ ଜୁଆଳି ବୋହୁଥିଲେ ତାହା ନୁହେଁ, ଚାଷୀ ବେଳେବେଳେ ବଡ଼ ବଡ଼ କାଠ ଗଣ୍ତିକୁ ଶଗଡ଼ରେ ଲଦି ନିଜ ଘରକୁ ଆଣୁଥିଲା। ବଦଳ ଦୁଇଟି ଖଟି ଖଟି ହାଲିଆ ହୋଇଯାଉଥିଲେ। ସେମାନଙ୍କ ଶରୀର ବି ବହୁତ କଷ୍ଟ ପାଉଥିଲା।
ଏମିତି ଏକ ପରିସ୍ଥିତିରେ ଜଣେ ସନ୍ଥ ସେଇ ବାଟ ଦେଇ ଗଲେ, ଯେ ପଶୁପକ୍ଷୀଙ୍କ ମନର କଥା ବୁଝିପାରୁଥିଲେ। ସେ ଏଇ ବଳଦ ଦୁଇଟିଙ୍କ ମନ କଷ୍ଟ କଥା ବୁଝିପାରିଲେ ଏବ˚ ସେମାନଙ୍କୁ କହିଲେ- ଈଶ୍ବରଙ୍କୁ ପ୍ରାର୍ଥନା କର। ଦେଖିବ ତୁମ କଷ୍ଟ ଲାଘବ ହୋଇଛି।
ଦୁଇଟି ଯାକ ବଳଦ ତାଙ୍କ କଥା ମାନି ଈଶ୍ବରଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ। କିଛି ଦିନ ପରେ ଦେଖାଗଲା ଯେ ଗୋଟିଏ ବଳଦ ମନ ଖୁସିରେ ଥିବା ବେଳେ ଆରଟି ଆହୁରି ଦୁଃଖିତ ହୋଇ କେବଳ ଦୀର୍ଘଶ୍ବାସ ଛାଡୁଛି। ଦିନେ ସେଇ ବଳଦ ଖୁସି ଥିବା ବଳଦକୁ କହିଲା- ସେଇ ବାବା ଆମ ଦୁହିଁଙ୍କୁ ଗୋଟିଏ ଉପଦେଶ ଦେଇଥିଲେ। କିନ୍ତୁ ଏମିତି କଅଣ ହେଲା ଯେ ତୋ ପ୍ରାର୍ଥନା ଭଗବାନ ଶୁଣିଲେ ଅଥଚ ମୋର ଶୁଣୁନାହାନ୍ତି। ତୁ ମନ ଖୁସିରେ ଥିବା ବେଳେ ମୋର କଷ୍ଟ ଦିନକୁ ଦିନ ବଢ଼ିବାରେ ଲାଗିଛି।
ଏହା ଶୁଣି ପ୍ରଫୁଲ୍ଲିତ ଚିତ୍ତରେ ଥିବା ବଳଦ କହିଲା- ତୁ ଭଗବାନଙ୍କୁ ପ୍ରାର୍ଥନା କରି କଅଣ କହୁଛୁ କି?
ଦୁଃଖୀ ବଳଦ କହିଲା- ମୁଁ ପ୍ରଭୁଙ୍କୁ ପ୍ରତିଦିନ ଏହା କହୁଛି ଯେ ପ୍ରଭୁ ବହୁତ ହୋଇଗଲା। ଏବେ ମୋ ଜୀବନରୁ ଏ କଷ୍ଟ ଦୂର କର।
ଏହା ଶୁଣି ଆର ବଳଦ ହସିବାକୁ ଲାଗିଲା। ସେ କହିଲା- ଆରେ ତାହା କଅଣ କେବେ ସମ୍ଭବ? ଆମ ଜୀବନରୁ କଷ୍ଟ ଦୂର ହେବ କେମିତି? ମୁଁ କିନ୍ତୁ ଅଲଗା କଥା ପ୍ରଭୁଙ୍କୁ ମାଗୁଛି। ମୁଁ କହୁଛି ପ୍ରଭୁ, ଦୁଃଖ ଭୋଗ ତ ମୋ ଭାଗ୍ୟରେ ଅଛି। ତେବେ ସବୁ କଷ୍ଟ ସହିବାର ବଳ ମୋ କାନ୍ଧକୁ ଦିଅ। ତା’ ପରେ ଦେଖିଲି ଭଗବାନଙ୍କୁ ସୁମରଣା କଲେ କଷ୍ଟ କମିଯାଉଛି।
ଭିନ୍ନ ଜଣାଣ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)