ମୁଲ୍ଲା ନସିରୁଦ୍ଦିନଙ୍କ ପିନ୍ଧା ଜାମା ମଇଳା ହୋଇ ଯାଇଥିବାରୁ ଧୋଇବା ଲାଗି ସାବୁନ ଖୋଜୁଥିଲେ। ଦରିଦ୍ର ମୁଲ୍ଲାଙ୍କ ପାଖରେ ସାବୁନଟିଏ ବି ନ ଥାଏ। ସାବୁୁନ ଚିନ୍ତାରେ ସେ ଅନ୍ୟମନସ୍କ ଭାବେ ରାସ୍ତାରେ ଯାଉ ଯାଉ ଗୋଟିଏ ଠିପି ଲଗା ବୋତଲକୁ ଝୁଣ୍ଟିଲେ। ବୋତଲର ଠିପି ଖୋଲିଗଲା ଏବ˚ ସେଥିରୁ ବାହାରିଲା ଭୂତଟିଏ। ଭୂତ କହିଲା- ମାଲିକ, ଡର ନାହିଁ। ମୁଁ ତୁମର ଚାକର। ମୋତେ ତୁମେ ଯାହା କହିବ ମୁଁ ମାନିବି। ତୁମ ତିନିଟି ଆଜ୍ଞା ମୁଁ ପାଳନ କରିବି। ଏଣୁ ମନ ଖୁସିରେ ଯାହା ମାଗିବାକୁ ଚାହୁଛ ମାଗ।
ମୁଲ୍ଲା ଏହା ଶୁଣି ଗଦଗଦ ହୋଇ ଖୁଦାଙ୍କୁ ଧନ୍ୟବାଦ ଦେଇ କହିଲେ- ପ୍ରଭୁ, କି ସୁଯୋଗ ଦେଲ? ତା’ପରେ ସେ ଭୂତକୁ କହିଲେ- ଭାଇ ଏବେ ମୋତେ ସାବୁନଟିଏ ଦିଅ।
ଭୂତ ମୁଣ୍ତରେ ହାତ ଦେଲା ଓ କହିଲା- ମାଲିକ, ତୁମ ଗଧର ବୁଦ୍ଧି ତୁମଠାରୁ ବେଶୀ ହେବ। ଏମିତି ସୁଯୋଗ ପାଇଲା ପରେ ତୁମେ ମୋତେ ସାବୁନ ମାଗୁଛ? ହଉ, ତୁମକୁ ଏଇଟା ଛାଡ଼ ହେଲା। ଏବେ ଭାବିଚିନ୍ତି ତିନିଟି ଭଲ ବର ମାଗ। ଏମିତି ମାଗ ଯେ ତୁମର ଦୁଃଖ ଦାରିଦ୍ର୍ୟ ଯେମିତି ରହିବ ନାହିଁ।
ମୁଲ୍ଲା କିଛି ସମୟ ଭାବି କହିଲେ- ତେବେ, ମୋତେ ପୃଥିବୀର ସବୁଠାରୁ ଜ୍ଞାନୀ କରିଦିଅ। ଭୂତ କହିଲା- ସବାସ୍, ଏବେ ମାଗିଲା ଭଳି କିଛି ମାଗିଲ। ହଉ, ତଥାସ୍ତୁ। ମୁଲ୍ଲା ସାଙ୍ଗେସାଙ୍ଗେ ହୋଇଗଲେ ପୃଥିବୀର ସବୁଠାରୁ ବଡ଼ ଜ୍ଞାନୀ। ଭୂତ କହିଲା- ସମୟ ନାହିଁ। ଏବେ ଦ୍ବିତୀୟ ବର ମାଗ। ମୁଲ୍ଲା କିଛି କ୍ଷଣ ଭାବି କହିଲେ- ତୁମେ ମୋତେ ଗଧ ସହିତ ସମତୁଲ କରିଥିଲ। ଏବେ ମୋତେ ପୃଥିବୀର ସବୁଠାରୁ ଅଧିକ ବୁଦ୍ଧିଆ କରିଦିଅ। ଭୂତ କହିଲା- ବାଃ ବାଃ ଭଲ କଥା ମାଗିଲ। ତଥାସ୍ତୁ।
ଭୂତ ଯିବାକୁ ଖୁବ୍ ତରତର ହେଉଥିଲା। କାରଣ ତା’ ପାଖରେ ଆଉ ସମୟ ନ ଥିଲା। ଏଭଳି ଦୁଇଟି ବର ପାଇଲା ପରେ ମୁଲ୍ଲା ତୃତୀୟ ବର ମାଗିଲେ- ଏବେ ତାହା ହେଲେ ସାବୁନଟିଏ ଦିଅ। ମୋ ଜାମା ସଫା କରିବି।
ଭୂତ ତଟସ୍ଥ ହୋଇ ତଥାସ୍ତୁ କହି ଉଭେଇ ଗଲା।
କଥାଟିଏ-ଯାଯାବର: ବୋତଲ ଭୂତ ଓ ନସିରୁଦ୍ଦିନ
ମୁଲ୍ଲା ନସିରୁଦ୍ଦିନଙ୍କ ପିନ୍ଧା ଜାମା ମଇଳା ହୋଇ ଯାଇଥିବାରୁ ଧୋଇବା ଲାଗି ସାବୁନ ଖୋଜୁଥିଲେ। ଦରିଦ୍ର ମୁଲ୍ଲାଙ୍କ ପାଖରେ ସାବୁନଟିଏ ବି ନ ଥାଏ। ସାବୁୁନ ଚିନ୍ତାରେ ସେ ଅନ୍ୟମନସ୍କ ଭାବେ ରାସ୍ତାରେ ଯାଉ ଯାଉ ଗୋଟିଏ ଠିପି ଲଗା ବୋତଲକୁ ଝୁଣ୍ଟିଲେ।