ଗୁରୁଙ୍କୁ ଶିଷ୍ୟ ପଚାରିଲା- ମହାତ୍ମା, ମୋ ମନରେ ପ୍ରଶ୍ନଟିଏ ଉଠୁଛି। ତାହା ହେଲା, ଭଗବାନ କାହିଁକି ଅପାତ୍ରରେ ଦିଅନ୍ତି। ଭଲ ଲୋକେ ଭଗବାନଙ୍କ କରୁଣା ପାଉ ନ ଥିବା ବେଳେ ଖରାପ ଲୋକେ ଭଗବାନଙ୍କ ଆଶୀର୍ବାଦ ପାଆନ୍ତି?
ଗୁରୁ କହିଲେ- ଭଗବାନ କେମିତି ବିଚାର କରନ୍ତି ତାହା ବୁଝିବା ଲାଗି ମୋ ଠାରୁ କଥାଟିଏ ଶୁଣ। ଗୋଟିଏ ଆମ୍ବ ଗଛ ଥିଲା। ସେଥିରେ ଫଳୁଥିଲା ଦୁର୍ଲ୍ଲଭ ଆମ୍ବ। କିନ୍ତୁ ଆମ୍ବ ଫଳୁଥିଲା ବହୁତ କମ୍। ଯେଉଁ ସ୍ଥାନରେ ଗଛଟି ଥିଲା, ସେଠାକାର ଲୋକମାନେ ଗଛଟିକୁ ଅତି ପବିତ୍ର ବୋଲି ମାନୁଥିବାରୁ କେହି ଗଛ ଚଢ଼ି ବା ପଥର ମାରି ଆମ୍ବ ଝଡ଼ାଉ ନ ଥିଲେ। କେବଳ ଆମ୍ବ ପାଚି ଝଡ଼ିଲେ ଯାଇ ଲୋକେ ତାକୁ ନେଉଥିଲେ।
ଥରେ ରାଜାଙ୍କ ସେ ଗଛର ଆମ୍ବ ଖାଇବାକୁ ଇଚ୍ଛା ହେଲା। ରାଜାଙ୍କ କର୍ମଚାରୀମାନେ ଆସି ଗଛ ମୂଳରେ ଜଗି ରହିଲେ ଯେ ଆମ୍ବ ପଡ଼ିଲେ ନେଇ ରାଜାଙ୍କୁ ଦେବେ। ଗଛରେ ପାଚିଲା ଆମ୍ବ ଥିଲା, କିନ୍ତୁ ଅନେକ ଦିନ ପର୍ଯ୍ୟନ୍ତ ଗୋଟିଏ ବି ଝଡ଼ିଲା ନାହିଁ। ଦିନେ ଜଗିଥିବା କର୍ମଚାରୀମାନେ ଅପେକ୍ଷା କରି କରି ଧୈର୍ଯ୍ୟହରା ହୋଇପଡ଼ି ଟିକିଏ ମଉଜ ଲାଗି ପାଖ ଗାଁକୁ ଚାଲିଗଲେ। ସେମାନେ ଯିବା ପରେ ପରେ ଆମ୍ବଟିଏ ପଡ଼ିଲା। ସେଇ ବାଟେ ଯାଉଥିବା ଜଣେ ଭିକାରି ତାହା ପାଇ ନେଇଗଲା।
ଆମ୍ବ ପାଚି ଆପେ ଆପେ ପଡ଼ିବା କାର୍ଯ୍ୟଟି ଯଦି ଭଗବାନଙ୍କ ଦ୍ବାରା ନିୟନ୍ତ୍ରିତ ବୋଲି ଆମେ ଭାବିବା ତେବେ ଗୋଟିଏ କଥା ପରିଷ୍କାର ଯେ ଭଗବାନ ରାଜାଙ୍କ ଲାଗି ଆମ୍ବଟିଏ ପକାଇବା ଲାଗି ଆଗ୍ରହ ଦେଖାଇଲେ ନାହିଁ ବା ଭିକାରିକୁ ସେଥିରୁ ବଞ୍ଚିତ କରିବାକୁ ମଧ୍ୟ ତାଙ୍କ ଠାରେ କୌଣସି ଇଚ୍ଛା ନ ଥିଲା। ଆମ୍ବଟି ଠିକଣା ଭାବେ ପାଚିଲେ ହିଁ ତଳେ ପଡ଼ିବ ଏହା ହିଁ ହେଲା ଭଗବାନଙ୍କ ନିୟମ। ସେତିକି ବେଳେ ଯିଏ ଥିବ ସେ ସେଇ ଈଶ୍ବରଙ୍କ ଅନୁଗ୍ରହକୁ ପାଇବ। କେହି ନ ଥିଲେ ଆମ୍ବଟି ତଳେ ପଡ଼ି ଶଢ଼ିଯିବ। କେହି ଜଣେ ପାଉ ବୋଲି ଆମ୍ବ ପୂରା ପାଚିିଯିବା ପରେ ଅପେକ୍ଷା କରି ବସେ ନାହିଁ। ତାହା ହେଲା ଈଶ୍ବରଙ୍କ କରୁଣା ବର୍ଷାର ମୂଳ ନୀତି। ସେଥିରେ ପାତ୍ର ଓ ଅପାତ୍ରର ପ୍ରସଙ୍ଗ ହିଁ ନାହିଁ।
ପାତ୍ର ଓ ଅପାତ୍ର ପ୍ରସଙ୍ଗ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)