ଦିନେ ମୁଲ୍ଲା ନସିରୁଦ୍ଦିନଙ୍କର ଲଟେରି ଲାଗିଗଲା। ସେ କେବେ କଳ୍ପନା କରି ନ ଥିଲେ ଯେ ଦିନେ ଏତେ ସ˚ପତ୍ତି ପାଇବେ। ତେଣୁ ସେ ଗର୍ବରେ ଫାଟି ପଡ଼ିଲେ ଓ ଛାତି ଫୁଲେଇ ବୁଲିଲେ। ଗାଁ ଲୋକେ କହିଲେ- ଦେଖ ମୁଲ୍ଲାର ଭାଗ୍ୟ କେତେ ତେଜ।
ମୁଲ୍ଲାଙ୍କ ପତ୍ନୀ କିନ୍ତୁ ଥିଲେ ପୂରାପୂରି ପ୍ରକୃତିସ୍ଥ। ସେ ବାରମ୍ବାର ମୁଲ୍ଲାଙ୍କୁ କହୁଥିଲେ- ମୁଲ୍ଲା, ଭାଗ୍ୟ ସବୁବେଳେ ବଦଳେ। ଆମେ କାଲି ଖାଇବାକୁ ମୁଠେ ପାଉ ନ ଥିଲେ ଆଉ ଆଜି କୋଟିପତି। କାଲି ହୁଏତ ପୁଣି ଭାଗ୍ୟ ବଦଳି ଯାଇପାରେ।
ମୁଲ୍ଲା କିନ୍ତୁ କହୁଥିଲେ- ଦୂର‌୍‌ ମୂର୍ଖ!
ଦିନକର କଥା। ମୁଲ୍ଲା କହିଲେ- ବଡ଼ ମାଛ ଆଣ। ଭଲ କରି ତରକାରି କର। ଭୋଜି କରିବା। ଭୋଜି ହେଲା। ହସରେ କୁରୁଳି କୁରୁଳି ମାଛ ଖାଉଥିବା ବେଳେ ଏକ ବଡ଼ କଣ୍ଟା ହଠାତ୍‌ ଅଖାଡୁଆ ଭାବେ ତାଙ୍କ ଗଳାରେ ଅଟକିଗଲା। ତାହା ଆଉ ବାହାରିଲା ନାହିଁ। ମୁଲ୍ଲା ଅନେକ କିଛି ଉପାୟ କଲେ କିନ୍ତୁ ନିସ୍ତାର ମିଳିଲା ନାହିଁ। ଏକାଧିକ ବୈଦ୍ୟ ଆସିଲେ। କେତେ ଚେଷ୍ଟା କରାଗଲା। କିନ୍ତୁ କଣ୍ଟା ସେମିତି ଲାଗି ରହିଲା। ମୁଲ୍ଲା ଭାବିଲେ ଏଥର ମଲି। ଏ କଣ୍ଟା ମୋର ପ୍ରାଣ ନେବ। ଏବେ ତାଙ୍କ ମନ କଣ୍ଟା ପାଖରେ ଅଟକିଗଲା।
ଏଇ ସମୟରେ ଜଣେ ପୁରୁଣା ବନ୍ଧୁ ମୁଲ୍ଲାଙ୍କ ଘରକୁ ବୁଲି ଆସିଲେ। ମୁଲ୍ଲାଙ୍କ ଚାକଚକ୍ୟ ଦେଖି ଚକିତ ହୋଇଗଲେ। ଘରେ ପଶୁ ପଶୁ ମୁଲ୍ଲାଙ୍କ ପତ୍ନୀଙ୍କୁ ଏହାର ରହସ୍ୟ ବିଷୟରେ ପଚାରି ଜାଣିଲେ ଯେ ମୁଲ୍ଲାଙ୍କ ଲଟେରି ଲାଗି ଯିବାରୁ ପରିସ୍ଥିତି ବଦଳି ଯାଇଛି।
ସେ ମୁଲ୍ଲାଙ୍କ ପ୍ରକୋଷ୍ଠରେ ପଶୁ ପଶୁ କୁରୁଳି ଉଠି କହି ପକାଇଲେ- ମୁଲ୍ଲା, ତୁମର କି ଭାଗ୍ୟ?
ମୁଲ୍ଲା ରାଗିଯାଇ ଖିଙ୍କାରି ଉଠି କହିଲେ- ଚୁପ୍‌ କର। ତୁମ ଗଳାରେ କେବେ ମାଛର କଣ୍ଟା ଲାଗିଛି?
ବନ୍ଧୁ ଏହା ଦେଖି ହତଭମ୍ବ ହୋଇପଡ଼ିଥିବା ବେଳେ ମୁଲ୍ଲା କହିଲେ- ସେଇଥି ଲାଗି ମୋ ଘର ଦୁଆର ଆଦି ଦେଖି ମୋର କି ଭାଗ୍ୟ ବୋଲି କହୁଛ!