ଥରେ ପିଲାକୁ ସାଙ୍ଗରେ ଧରି ମା’ ବିଦ୍ୟାଳୟକୁ ଆସୁଥାଆନ୍ତି। ବାଟରେ ପିଲାଟି ସହିତ ଅନେକ କଥାବାର୍ତ୍ତା ହେଉଥାଆନ୍ତି। ଏଇ ସମୟରେ ଦେଖିଲେ ଜଣେ ଜରି ଗୋଟାଉଥିବା ପିଲା ଆବର୍ଜନା ଗଦା ପାଖରେ କ’ଣ ସବୁ ଖୋଜୁଛି।
ପିଲା ପଚାରିଲା- ମା’ ୟେ କ’ଣ କରୁଛି? ୟେ କ’ଣ ପାଠ ପଢୁନାହିଁ? ସ୍କୁଲ ଯାଉନାହିଁ?
ମା’ କହିଲେ- ନା, ଏ ପାଠ ପଢୁନାହିଁ କି ସ୍କୁଲ ଯାଉନାହିଁ। ଆଉ ତୁ ବି ମନେରଖ, ତୁ ଯଦି ପାଠ ନ ପଢ଼ିବୁ, ସ୍କୁଲରୁ ତୋ ନାମ କଟିଯିବ ଏବ˚ ତୁ ଏଇ ପିଲା ପରି ମଇଳା ଗଦାରୁ ଜରି ଗୋଟାଇବୁ।
ପିଲାଟି ମା’ଙ୍କ ମୁହଁକୁ ଚାହିଁ କହିଲା- ନା, ମା’ ମୁଁ ନିଶ୍ଚୟ ପାଠ ପଢ଼ିବି।
ଏବେ ଦ୍ବିତୀୟ ଉଦାହରଣ। ସେଇ ସମାନ ଦୃଶ୍ୟ। ପିଲାଟି ମା’ଙ୍କୁ ପଚାରିଲା- ମା’ ୟେ କ’ଣ ପାଠ ପଢୁନାହିଁ? ସ୍କୁଲ ଯାଉନାହିଁ?
ମା’ କହିଲେ- ନା ବାବୁ, ୟେ ଯେଉଁ ପରିସ୍ଥିତିରେ ଜନ୍ମ ନେଇଛି ଓ ବଢ଼ିଛି ତା’ ଲାଗି ସ୍କୁଲ ଯିବା କି ପାଠ ପଢ଼ିବା ବୋଧହୁଏ ସମ୍ଭବ ନୁହେଁ। କିନ୍ତୁ ତୁ ମନ ଦେଇ ପାଠ ପଢ଼। ତୁ ଯଦି ପାଠ ପଢ଼ି ମଣିଷ ହେବୁ, ଏଇ ଭଳି ପିଲାମାନଙ୍କ ଦୁନିଆକୁ ବଦଳାଇବାକୁ ଚେଷ୍ଟା କରିବୁ। ଚେଷ୍ଟା କରିବୁ ସମସ୍ତେ ଯେମିତି ପାଠ ପଢ଼ିବେ ଓ ସ୍କୁଲ ଯିବେ।
ପିଲାଟି ମା’ଙ୍କ ମୁହଁକୁ ଚାହିଁ କହିଲା-ମା’ ମୁଁ ନିଶ୍ଚୟ ମନ ଲଗାଇ ପାଠ ପଢ଼ିବି।
କଥାଟି କହି ସେ ଦିନ ୟୁଜିକେ କହିଲେ- ପିଲାମାନଙ୍କୁ ଆପଣ କ’ଣ କହି ଶିକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି, ତାହା ଗୁରୁତ୍ବପୂର୍ଣ୍ଣ। ଉଭୟ କ୍ଷେତ୍ରରେ ପିଲା ଦୁଇଟି ପାଠ ପଢ଼ି ମଶିଷ ହେବାର ପ୍ରତିଜ୍ଞା କଲେ। ଉଭୟ ପିଲା ମଣିଷ ମଧ୍ୟ ହେବେ। କିନ୍ତୁ ଉଭୟେ ପରସ୍ପର ଠାରୁ ଭିନ୍ନ ଲକ୍ଷ୍ୟ ସାଧନ କରିବାକୁ ବ୍ରତୀ ହୋଇପାରନ୍ତି!
କଥାଟିଏ-ଯାଯାବର: ଦୁଇ ପିଲା, ଦୁଇ ଲକ୍ଷ୍ୟ
ଥରେ ପିଲାକୁ ସାଙ୍ଗରେ ଧରି ମା’ ବିଦ୍ୟାଳୟକୁ ଆସୁଥାଆନ୍ତି। ବାଟରେ ପିଲାଟି ସହିତ ଅନେକ କଥାବାର୍ତ୍ତା ହେଉଥାଆନ୍ତି। ଏଇ ସମୟରେ ଦେଖିଲେ ଜଣେ ଜରି ଗୋଟାଉଥିବା ପିଲା ଆବର୍ଜନା ଗଦା ପାଖରେ କ’ଣ ସବୁ ଖୋଜୁଛି।