ଦିନେ ଜଣେ ବିତ୍ତଶାଳୀ ଶିଳ୍ପପତିଙ୍କୁ ଜଣେ ଯୁବକ ପଚାରିଲେ- ମହାଶୟ, ଆପଣଙ୍କଠାରୁ ବଡ଼ ଧନୀ କେହି ଥିବା ଭଳି ଲାଗୁନାହିଁ। ଆପଣ ସେମିତି କାହାକୁ ଜାଣନ୍ତି କି? ବିତ୍ତଶାଳୀ ଭଦ୍ରବ୍ୟକ୍ତି ଉତ୍ତର ଦେଲେ- ହଁ, ଜାଣେ। ତା’ ପରେ ସେ ତାଙ୍କ ନିଜ ଜୀବନର କାହାଣୀ କହିଲେ। 
ସେ କହିଲେ- ଆମେ ଥିଲୁ ଦୁଇ ଭାଇ। ମୁଁ ବଡ଼। ମୋ ଭାଇ ମୋ ଠାରୁ ଚାରି ବର୍ଷ ସାନ। ମୋ ବାପା ଥିଲେ ଅତ୍ୟନ୍ତ ବିତ୍ତଶାଳୀ। ଆମ ପରିବାରର ଅନେକ ଉଦ୍ୟୋଗ ରହିଛି। ପିଲା ଦିନରୁ ଆମେ ସମସ୍ତେ ରାଜକୀୟ ପରିବେଶରେ ବଢ଼ିଥିଲୁ। ମୋ ସାନ ଭାଇ ଥିଲା ଅତ୍ୟନ୍ତ ପ୍ରତିଭାବାନ ଏବଂ ପାଠରେ ଅତି ଆଗୁଆ। 
ଆମେ ଯୁବକ ହେବା ପରେ ବାପା ତାଙ୍କ ବ୍ୟବସାୟଗୁଡ଼ିକୁ ଆମ ଭିତରେ ବାଣ୍ଟି ଦେବାକୁ ଇଚ୍ଛା କଲେ। ମୁଁ ପିଲା ଦିନରୁ ବ୍ୟବସାୟ ସଂପର୍କରେ ଆଗ୍ରହୀ ଥିଲି। କିନ୍ତୁ ମୋ ଭାଇ ଚାହୁଁଥିଲା ଅଧ୍ୟାପନା କରିବ। ତେଣୁ ସେ ବାପାଙ୍କୁ ତା’ ମନ କଥା ଜଣାଇଲା। ବାପା ତାକୁ ବହୁତ ବୁଝାଇଲେ। କିନ୍ତୁ ସେ ରାଜି ହେଲା ନାହିଁ। ସୁତରାଂ, ସେ ତା’ର କ୍ୟାରିଅର୍‌ରେ ଆଗେଇ ଯାଇ ଏବେ ଜଣେ ଅଧ୍ୟାପକ ହୋଇଛି। ମୋ ଜାଣିବାରେ ସେ ମୋ ଠାରୁ ମଧ୍ୟ ଅଧିକ ଧନୀ। 
ଯୁବକ କହିଲେ- ଅଧ୍ୟାପନାରୁ ସେ କ’ଣ ଏମିତି ଉପାର୍ଜନ କରିଛନ୍ତି ଯେ ଆପଣଙ୍କୁ ବି ପଛରେ ପକାଇ ଦେଇଛନ୍ତି। ମୋର ବିଶ୍ବାସ ହେଉନାହିଁ। 
ଶିଳ୍ପପତି କହିଲେ- ତୁମେ ଭୁଲ୍‌ ବୁଝିଲ। ବାପା ଯେତେବେଳେ ଅନ୍ତିମ ସମୟରେ ଆମ ଦୁଇ ଭାଇଙ୍କ ମଧ୍ୟରେ ସଂପତ୍ତିି ବାଣ୍ଟିବାକୁ ସ୍ଥିର କଲେ, ସାନ ଭାଇ ବାପାଙ୍କୁ କହିଲା- ଭାଇ ସବୁ କିଛି ବୁଝୁଛନ୍ତି, ତାଙ୍କ ନାମରେ ସବୁ କିଛି କରି ଦିଅନ୍ତୁ। ମୋ ଚାକିରିରୁ ଯାହା ମିଳୁଛି ମୁଁ ସେଥିରେ ଖୁସି ଓ ସନ୍ତୁଷ୍ଟ। ସେହି ଦିନ ଜାଣିଲି ସେ ପ୍ରକୃତରେ କେତେ ବଡ଼ ଧନୀ! କାରଣ କେବଳ ଜଣେ ପ୍ରକୃତ ଧନୀ ହିଁ ପାଉଥିବା ସଂପତ୍ତିକୁ ଠେଲି ଦେଇପାରେ। ସଂପତ୍ତି ପାଇବାକୁ ଲୋଭାତୁର ଭାବେ ଅପେକ୍ଷା କରିଥିବା ଆମ ଭଳି ସମସ୍ତେ ହେଉଛନ୍ତି ପ୍ରକୃତରେ ଦରିଦ୍ର।