ଜଣେ ସାଧୁ କୌଣସି ଏକ ରହସ୍ୟମୟ ପାହାଡ଼ ଗୁମ୍ଫାରୁ ପାଇଥିଲେ ରହସ୍ୟମୟ ପବିତ୍ର ଅଗ୍ନି। ସେଇ ପବିତ୍ର ନିଆଁକୁ ଗୋଟିଏ ମାଟି ହାଣ୍ତିରେ ପୂରାଇ ସେ ଘୂରି ବୁଲୁଥିଲେ। କେବେ ହେଲେ ସେ ସେଇ ନିଆଁକୁ ଲିଭିବାକୁ ଦେଉ ନ ଥିଲେ। ସେଇ ପବିତ୍ର ନିଆଁ ଉପରେ ହାତ ଦୁଇଟି ରଖି ଉଷ୍ମତାର ସ୍ପର୍ଶ ପାଇଲେ ଜଣେ ମନୁଷ୍ୟର ସବୁ ପାପ ତାପ ଧୋଇ ଯାଉଥିଲା ବୋଲି ଅନେକ ଲୋକ ସାଧୁଙ୍କ ପାଖକୁ ଆସୁଥିଲେ।
ଦିନକର କଥା। ସାଧୁ ଗୋଟିଏ ଗଛ ମୂଳରେ ବିଶ୍ରାମ ନେଉଥିଲେ। ପାଖରେ ପବିତ୍ର ନିଆଁର ହାଣ୍ତିଟି ଥିଲା। ସେଇ ବାଟ ଦେଇ ଜଣେ ଗାଉଁଲି ତରୁଣ ଯାଉଥିଲା। ସେ ବିଡ଼ି ଟାଣିବ ବୋଲି ନିଆଁ ଖୋଜୁଥିଲା। ସାଧୁଙ୍କ ପାଖରେ ହାଣ୍ତି ଭିତରେ ଗୋଟିଏ ଦୀପରେ ନିଆଁ ଜଳୁଥିବାର ଦେଖି ସାଙ୍ଗେସାଙ୍ଗେ ସେଥିରେ ବିଡ଼ି ଲଗାଇ ଦେଲା। ସାଧୁ ହାଁ ହାଁ କଲା ବେଳକୁ ଗାଉଁଲି ଯୁବକ ତା’ କାମ ସାରି ଦେଇଥିଲା। ସାଧୁ ରାଗରେ ନିଜ ହିତାହିତ ଜ୍ଞାନ ହରାଇ ଯୁବକ ପଛରେ ଗୋଡ଼ାଇବାକୁ ଲାଗିଲେ। କିନ୍ତୁ ଯୁବକ କ୍ଷଣିକ ଭିତରେ ଦୌଡ଼ି ଚାଲିଗଲା। ସାଧୁ ତାକୁ ଧରି ପାରିଲେ ନାହିଁ। ସେ କେବଳ ଅସହାୟତା ଓ ହତାଶାରେ କାନ୍ଦିବାକୁ ଲାଗିଲେ। ପବିତ୍ର ନିଆଁର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିପାରିଲେ ନାହିଁ ବୋଲି ନିଜକୁ ଦୋଷ ଦେଇ ଧିକ୍କାରିବାକୁ ଲାଗିଲେ। ଏଇ ସମୟରେ ସେଇ ବାଟ ଦେଇ ଯାଉଥିଲେ ଜଣେ ବୁଦ୍ଧିମାନ ଲୋକ। ସାଧୁ ଜଣକ କାନ୍ଦୁଥିବାର ସେ ଦେଖି ତାଙ୍କୁ କାରଣ ପଚାରିଲେ।
ସାଧୁ ତାଙ୍କୁ ସବୁ କଥା କହିଲେ। ଏହା ଶୁଣି ବୁଦ୍ଧିମାନ ଲୋକ ଜଣକ କହିଲେ- ଏଥିରେ ଦୁଃଖ କରିବାର କିଛି ନାହିଁ। ଆପଣଙ୍କ ପାଖରେ ଥିବା ନିଆଁ ଯଦି ଏତେ ପବିତ୍ର ସେ ସାମନ୍ୟ ବିଡ଼ି ଦ୍ବାରା ଅପବିତ୍ର ହୋଇଯିବ କେମିତି? ବର˚ ତା’ର ବିଡ଼ିଟି ପବିତ୍ର ନିଆଁର ସ˚ଯୋଗରେ ପବିତ୍ର ହୋଇଯାଇଥିବ। ଆପଣଙ୍କ ପବିତ୍ର ନିଆଁ କେତେ କେତେ ପାପୀଙ୍କ ପାପ ହରଣ କରୁଛି ଅଥଚ ଅପବିତ୍ର ହେଉନାହିଁ। ଏ ସାମାନ୍ୟ ବିଡ଼ିର ସ˚ଯୋଗରେ ସେ ଅପବିତ୍ର ହୋଇଯିବ?
ସାଧୁ ଏବେ ନିରବ ହେଲେ।