ମାର୍ଗ ଦର୍ଶନ

କଥାଟିଏ-ଯାଯାବର

ଜଣେ ରାଜାଙ୍କ ମନରେ ଥରେ ପଶ୍ଚାତ୍ତାପ ସୃଷ୍ଟି ହେଲା। ସେ ତାଙ୍କର କିଛି ଭୁଲ୍‌କୁ ନେଇ ଭାବିଲେ- ଏ ସବୁ ଭୁଲ୍‌ ଲାଗି ମୁଁ ଗଭୀର ଭାବେ ଅନୁତପ୍ତ। ମୁଁ ଏମିତି ଭୁଲ୍‌ କରିପାରିଲି କେମିତି? ରାସ୍ତା ଅନ୍ଧକାରମୟ ଥିଲା, ତେଣୁ ସମ୍ଭବତଃ ମୁଁ ପଥଭ୍ରଷ୍ଟ ହୋଇଗଲି। କେହି ମୋତେ ପୁଣି ପଛକୁ ଫେରାଇ ନିଅନ୍ତା କି? ମୋ ଭୁଲ୍‌କୁ ମୁଁ ସୁଧାରି ପକାନ୍ତି।
ଏମିତି ସେ ଘାରି ହେଉଥିବା ବେଳେ ରାଜଧାନୀରେ ପହଞ୍ଚିଲେ ଜଣେ ଫକିର। ରାଜାଙ୍କ କଥା ଶୁଣି ସେ କହିଲେ ଆପଣ ନିଜ ଭୁଲ୍‌ ଲାଗି ଅନୁତପ୍ତ ସତ। କିନ୍ତୁ ଭୁଲ୍‌ ସୁଧାରିବା ଲାଗି ଆପଣ ଯେଉଁ ଦ୍ବିତୀୟ ସୁଯୋଗ ଚାହୁଁଛନ୍ତି, ତାହା ବେକାର ହେବ। କାରଣ ଆପଣଙ୍କ ପଶ୍ଚାତ୍ତାପ ପ୍ରକୃତରେ ଅନୁତାପ ହିଁ ନୁହେଁ।
ରାଜା କହିଲେ- ଏମିତି କାହିଁକି କହୁଛନ୍ତିି?
ଫକିର କହିଲେ- ଆପଣଙ୍କ କଥା ଶୁଣି ଲାଗୁଛି ଆପଣଙ୍କର ଅହ˚କାର ଯାଇନାହିଁ। ଆପଣ ଭାବୁଛନ୍ତି ଯେ ଦୋଷ ଅନ୍ଧକାରମୟ ରାସ୍ତାର। ତେଣୁ ଆପଣ ପଥଭ୍ରଷ୍ଟ ହୋଇଗଲେ। ଆପଣ ଭାବୁଛନ୍ତି ଯେ ଆପଣଙ୍କ ଭଳି ଜଣେ ବ୍ୟକ୍ତି ଦ୍ବାରା ଏଭଳି ଭୁଲ୍‌ ହେବା କଥା ନୁହେଁ, ହେଲା କେମିତି? ଏହା ହିଁ ଆପଣଙ୍କର ଅହ˚କାରର ପ୍ରମାଣ।
ଯେଉଁ ଦିନ ଆପଣଙ୍କୁ ଲାଗିବ ଯେ ଆପଣଙ୍କର କାର୍ଯ୍ୟ ନୁହେଁ, ଆପଣ ହିଁ ଆପଣଙ୍କ ତ୍ରୁଟିର କେନ୍ଦ୍ର ସେତିକି ବେଳେ ଆପଣ ନିଜ କାର୍ଯ୍ୟକୁ ନୁହେଁ ନିଜକୁ ସୁଧାରିବେ। ସେହି ଦିନ ହିଁ ପ୍ରକୃତ ପ୍ରାୟଶ୍ଚିତ୍ତର ବାଟ ଖୋଲିବ।

ସମ୍ବନ୍ଧିତ ଖବର