ମୁଲ୍ଲାଙ୍କ ଉତ୍ତର

କଥାଟିଏ-ଯାଯାବର

ମୁଲ୍ଲା ନସିରୁଦ୍ଦିନଙ୍କ ଗାଁରେ ଥିଲା ଜଣେ ଅତି କୃପଣ ଧନୀକ। ଥରେ, ଗାଁର ଡାକ୍ତରଖାନାର ମରାମତି ଲାଗି ଟଙ୍କା ସକାଶେ ଗାଁ ଲୋକେ ସେଇ କୃପଣ ପାଖକୁ ଗଲେ। ମୁଲ୍ଲା ବି ସେମାନଙ୍କ ସହିତ ଥିଲେ। ସେମାନେ କହିଲେ- ସେଠ୍‌ଜୀ, ଗାଁ ଡାକ୍ତରଖାନା ଜରାଜୀର୍ଣ୍ଣ ଅବସ୍ଥାରେ। ତେଣୁ ତାର ମରାମତି ଲାଗି କିଛି ସାହାଯ୍ୟ କରନ୍ତୁ।
ଧନୀକ କୃପଣ ଏହା ଶୁଣି ଜୋରରେ ହସି ଗାଁ ବାଲାଙ୍କୁ କହିଲା- ଶୁଣ, ମୋ ବାପା, ମାଆ ଅତି ବୁଢ଼ାବୁଢ଼ୀ, ଖାଇବାକୁ ନ ପାଇ ଭୋକରେ ଚାରି ଦିନ ହେଲା ପଡ଼ିଛନ୍ତି। ମୋ ଭାଇ ଛୋଟା, ସେ କତରାଲଗା ହୋଇଗଲାଣି, କିଛି ଦିନ ଭିତରେ ଆର ପାରିକୁ ଚାଲିଯିବ। ମୋ ସ୍ତ୍ରୀ ରୋଗରେ ମରିବାକୁ ବସିଲାଣି ଅଥଚ ମୁଁ ତାକୁ ଔଷଧ ଲାଗି ପଇସା ଦେଉନାହିଁ। ମୁଁ ହେଉଛି ସେଇ ଧରଣର ଲୋକ। ଆଉ ତୁମେମାନେ ଆସିଛ ପଇସା ପାଇବା ଲାଗି?
ତା’ ପରେ ସେ ଯେତେବେଳେ ମୁଲ୍ଲାଙ୍କୁ ଦେଖିଦେଲା, କହିଲା- ମୁଲ୍ଲା, ତୁମେ ଯେତେବେଳେ ଆସିଛ, ଗୋଟିଏ ମଉକା ଦେବା ଲାଗି ଭାବୁଛି। ଶୁଣ, ମୋର ଗୋଟିଏ ଆଖି ନକଲି ଓ ଗୋଟିଏ ଅସଲି। ମୁଲ୍ଲା ଯଦି ଦୂରରୁ ଦେଖି କହିଦେବ କେଉଁଟି ନକଲି ଆଖି ତେବେ ମୁଁ କିଛି ଟଙ୍କା ଦେଇପାରେ।
ଏହା ଶୁଣି ମୁଲ୍ଲା ଚଟାପଟ ଉତ୍ତର ଦେଲେ- ତୁମର ବାମ ଆଖିଟି ନକଲି।
ଧନୀ କୃପଣ ଆକାଶରୁ ଗଳି ପଡ଼ିଲା। ସେ କହିଲା- ତୁମେ ଏକୁଟିଆ ଲୋକ ଯେ କି ଏ ପ୍ରଶ୍ନର ଠିକ ଉତ୍ତର ଦେଇପାରିଛ। କିନ୍ତୁ ତୁମେ ଜାଣିଲ କେମିତି?
ମୁଲ୍ଲା କହିଲେ- ଅତି ସହଜ। ତୁମର ବାମ ଆଖିରେ ଟିକିଏ କରୁଣା, ଟିକିଏ ସ˚ବେଦନା ଓ ଦୟାର ଝଲକ ଦେଖିଲି। ଜାଣିଲି ଯେ ତାହା ତୁମର ନକଲି ଆଖି। କାରଣ ତୁମ ଅସଲି ଆଖି ପଥର ଠାରୁ ବି ଆହୁରି ପଥର!

ସମ୍ବନ୍ଧିତ ଖବର