ଗୋଟିଏ ଗାଁରେ ଥିଲେ ଜଣେ ଭାରି ଗପୁଡ଼ି ଲୋକ। ତାଙ୍କ ଏ ସ୍ବଭାବ ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରି ପକାଇଲା। ଏମିତି ହେଲା ଯେ ଲୋକେ ତାଙ୍କୁ ଦେଖି ବିରକ୍ତ ହେଲେ ବା ଲୁଚିଲେ। ଏଣୁ ସେଇ ଲୋକ ବନ୍ଧୁହୀନ ହୋଇଗଲେ।
ନିଜ କଥା କାହାକୁ ଶୁଣାଇ ପାରୁ ନ ଥିବାରୁ ଗପୁଡ଼ି ଲୋକ ଆଉଟୁପାଉଟୁ ହେବାରେ ଲାଗିଲେ। ତାଙ୍କ ସମସ୍ୟାର ସମାଧାନ ଲାଗି ସେ ଗାଁର ଜଣେ ବିଚକ୍ଷଣ ଲୋକଙ୍କୁ ଭେଟିଲା। ବିଚକ୍ଷଣ ଲୋକ କହିଲେ- ମୋ ଜାଣିବାରେ ଜଣେ ମାତ୍ର ବ୍ୟକ୍ତି ଅଛି ଯିଏ ତୁମର ବନ୍ଧୁ ହୋଇ ରହିପାରିବ। ମୁଁ ତାକୁ ଚିଠିଟିଏ ଲେଖି ଦେଉଛି। ତାକୁ ଦେବ। ତା’ ପରେ ତୁମେ ତା’ ସହିତ ବନ୍ଧୁତା କରିବାରେ ଅସୁବିଧା ହେବନାହିଁ। 
ଗପୁଡ଼ି ଲୋକ ଚିଠିଟି ନେଇ ସେଇ ଲୋକଙ୍କୁ ଦେଲେ। ସତକୁ ସତ ଗପୁଡ଼ି ମହାଶୟ ଜଣେ ଭଲ ବନ୍ଧୁ ପାଇଗଲେ ଏବ˚ ଦିନ ତମାମ ଯେତେ ଗପିଲେ ବି ବନ୍ଧୁ କିଛି ପ୍ରତିକ୍ରିୟା ପ୍ରକାଶ ନ କରି ଶୁଣି ଚାଲିଲେ। ଏମିତି ହେବା ପଛରେ ପ୍ରକୃତ କାରଣଟି ଥିଲା ଯେ ବିଚକ୍ଷଣ ଲୋକ ଯାହାଙ୍କ ଠିକଣା ଦେଇଥିଲେ ସେ ଥିଲେ ଏକାଧାରରେ ଜଣେ ମୂକ ଓ ବଧିର। ସେ କିଛି ଶୁଣି ପାରୁ ନ ଥିଲେ କି କହି ପାରୁ ନ ଥିଲେ। 
ଖୁବ୍‌ ଶୀଘ୍ର ଗପୁଡ଼ି ଲୋକ ଜଣକ ଜାଣିଗଲେ ଯେ ତାଙ୍କ ନୂଆ ବନ୍ଧୁ କିଛି ଶୁଣି ପାରନ୍ତି ନାହିଁ କି କହି ପାରନ୍ତି ନାହିଁ। ସେ ଏଥିରେ ବ୍ୟଥିତ ହେଲେ। ସେ ସେହି ବିଚକ୍ଷଣ ବ୍ୟକ୍ତିଙ୍କ ପାଖକୁ ଯାଇ ଅଭିଯୋଗ କଲେ ଯେ ତାଙ୍କୁ ସେ ଠକିଛନ୍ତି। ସେ ଏମିତି ବନ୍ଧୁ ଚାହି ନ ଥିଲେ!
ବିଚକ୍ଷଣ ବ୍ୟକ୍ତି କହିଲେ- ଆଉ ଉପାୟ ନାହିଁ। ତୁୁମ ନିଜ ଅଭ୍ୟାସ କାରଣରୁ ତୁମେ ଦୟାର ପାତ୍ର ହୋଇ ସାରିଲଣି। କେହି ଦୟା କରି ତୁମକୁ ଶୁଣିଲେ ତୁମେ ଆଶ୍ବସ୍ତ ହେବ। ଏଣୁ ତୁମେ ନିଜ ମନ ମୁତାବକ ସର୍ତ୍ତର ମୂଲ୍ୟ ନାହିଁ। ଯେଉଁ ବନ୍ଧୁଙ୍କୁ ପାଇଛ ସେ କେବଳ ତୁମକୁ ଦୟା ନ ଦେଖାଇ ତୁମ କଥା ଶୁଣିବେ।