କୋହିନୁରର ଚମକ

କଥାଟିଏ-ଯାଯାବର

ଗୁରୁ କହିଥିଲେ ପ୍ରକୃତ ଜ୍ଞାନକୁ ଖୋଜ। ସୁତରାଂ, ତାଙ୍କର ପ୍ରଧାନ ଶିଷ୍ୟ ପୁସ୍ତକ ଓ ପୋଥି ଅଧ୍ୟୟନରେ ଲାଗି ଗଲା। ଗୁରୁ ପଚାରିଲେ- କ’ଣ କରୁଛ?
ଶିଷ୍ୟ କହିଲା- ‘ମହାତ୍ମା, ଆପଣଙ୍କ କଥା ମାନି ଜ୍ଞାନ ଆହରଣ କରୁଛି।
ଗୁରୁ କହିଲେ- ବହିର ଜ୍ଞାନ? ଶାସ୍ତ୍ରର ଜ୍ଞାନ? ଏ ସବୁ ତ ଅନ୍ୟ ଦ୍ବାରା ପ୍ରଦତ୍ତ ଜ୍ଞାନ! ଏହା ତୁମର ପ୍ରକୃତ ଜ୍ଞାନ ହେବ କିପରି?
ଶିଷ୍ୟ ପଚାରିଲା, ‘ତେବେ କ’ଣ କରିବି?’
ଗୁରୁ କହିଲେ- କୋହିନୁର ହୀରା ପ୍ରଥମେ ମିଳିଥିଲା ଜଣେ ଦରିଦ୍ର ଚାଷୀକୁ, ତା ଖେତ ପାଖ ଦେଇ ବହି ଯାଉଥିବା ନଦୀ ବାଲିରୁ। ସେ ତାକୁ ଏକ ସାଧାରଣ ରଙ୍ଗିନ ପଥର ବୋଲି ଭାବି ତା ପିଲାମାନଙ୍କୁ ଖେଳିବା ଲାଗି ଦେଇ ଦେଇଥିଲା। ଘରର ଅଗଣାରେ ତାହା ପଡ଼ି ରହୁଥିଲା। ଯେତେବେଳେ ତାହା ଏକ ମୂଲ୍ୟବାନ ପଥର ବୋଲି ଜଣାପଡ଼ିଲା ‌ସେତେବେଳେ ତାକୁ କଟାଗଲା ଏବଂ ତାକୁ ଚିକ୍କଣ କରାଗଲା। ଯେତେବେଳେ କୋହିନୁର ହୀରା ଆତ୍ମପ୍ରକାଶ କଲା, ସେତିକି ବେଳକୁ ତାର ଓଜନ ମୂଳ ପଥରର ଏକ ତୃତୀୟାଂଶ ହୋଇ ଯାଇଥିଲା। କିନ୍ତୁ ତାର ମୂଲ୍ୟରେ କେଇ ହଜାର କୋଟି ଗୁଣ ବୃଦ୍ଧି ପାଇଥିଲା। ଏବଂ ତାର ଦ୍ୟୁତି ଚତୁର୍ଦ୍ଦିଗକୁ ଚମକାଇ ‌ଦେଲା।
ଏହା ଶୁଣି ଶିଷ୍ୟ କହିଲା- ମହାଭାଗ ବୁଝି ପାରିଲି। ଆପଣ ପ୍ରକୃତ ଜ୍ଞାନ ଆହରଣ କରିବାର ଅର୍ଥ ଯାହା କହୁଛନ୍ତି ତାହା ହେଲା ପ୍ରକୃତରେ ଆଗରୁ ବହନ କରିଥିବା ଜ୍ଞାନର ଆସ୍ତରଣକୁ ବାହାର କରିବା। ତାହା ହେଲେ ପରିଶେଷରେ ପ୍ରକୃତ ଜ୍ଞାନ ରୂପକ କୋହିନୁର ଚମକିବ।

ସମ୍ବନ୍ଧିତ ଖବର