ଗୁରୁ ୟୁଜିକେ କହିଥିଲେ ଏହି ଗପଟି। ଗପର ସାରାଂଶ ଥିଲା ଯେ ପ୍ରକୃତି କେବେ ହେଲେ ଛାଡ଼ି ନ ଥାଏ। 
ଗୋଟିଏ ଗାଁରେ ଥିଲା ଜଣେ ଚୋର। ଅଭ୍ୟାସଗତ ଭାବେ ଚୋର ବୋଲି ସମସ୍ତେ ଜାଣି ଥିବାରୁ ଗାଁରେ କୌଣସି ଚୋରି ହେବା ମାତ୍ରକେ ଲୋକେ ତାକୁ ସନ୍ଦେହ କରୁଥିଲେ ଏବଂ ଉତ୍ତମ ମଧ୍ୟମ ଦେଉଥିଲେ। କିନ୍ତୁ ସେ ଚୋରି କରିବା ଛାଡୁ ନ ଥିଲା। କଥାରେ ଅଛି ଯେ ମାଡ଼କୁ ମହାଦେବ ଡରନ୍ତି। ତେଣୁ ଲୋକେ ଭାବୁଥିଲେ ଯେ ତା’ ଉପରେ ମାଡ଼ ଯଥେଷ୍ଟ ହେଉନାହିଁ। ତେଣୁ ତା’ ଢ଼ଙ୍ଗ ବଦଳୁନାହିଁ। ସେମାନେ ଭାବିଲେ ଯେ ଏଥର ଚୋରି ହେଲେ ବା ଚୋରି କଲା ବେଳେ ଧରାପଡ଼ିଲେ ଟାଙ୍କେ ଭଲ କରି ଛେଚିବେ। 
ସେମାନଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିଲା ନାହିଁ। ହାଟ ଭିତରେ ପକେଟ ମାରୁଥିବା ବେଳେ ସେ ଧରାପଡ଼ିଗଲା। 
ଏବେ ଲୋକଙ୍କୁ ଦେଖେ କିଏ? ଘେରି ଯାଇ ତାକୁ ବହେ ପିଟିଲେ। ଏମିତି କି ସେହି ବାଟରେ ଯିଏ ଗଲା ସେ ତା’ର ହାତ ସୁଖ କଲା। କିନ୍ତୁ ଚୋରଟି ଦମ୍ଭ ଧରି ଛିଡ଼ା ହୋଇଥାଏ ଓ ମାଡ଼ ଖାଇ ଚାଲିଥାଏ। ଲୋକେ ହାଲିଆ ହେବା ପରେ ‌ଯେତେବେଳେ ଭାବି‌େଲ ଯେ ଗାଁ ପିଲାଟିକୁ ଥାନା ପୁଲିସରେ ଦେବେ ନାହିଁ ଏବଂ ଏଥରର ମାଡ଼ରେ ସେ ସା‌ବା‌ଡ଼ ହୋଇଯିବ, ସେମାନେ ଧୀରେ ଧୀରେ ସେଠାରୁ ଚାଲିଗଲେ। 
ମାଡ଼ ଖାଇବା ପରେ ଅଣ୍ଟା ପିଠିରେ ଜୀବନ ନଥିବା ଚୋରଟି ଏବେ ଆଣ୍ଠେଇ ପଡ଼ିଲା ଏବଂ ପାଦ ତଳେ ଥିବା ସୁନା ମୁଦିକୁ ଆଣି ପକେଟରେ ପୂରାଇଲା। କଥା ହେଲା, ତାକୁ ବାଡ଼ଉଥିବା ଜଣେ ଲୋକଙ୍କ ହାତରୁ ଦୈବାତ୍ ମୁଦିଟିଏ ଖସି ପଡ଼ିଥିଲା, ଯାହା ମାଡ଼ ଖାଉଥିବା ଚୋରଟି ଦେଖି ପାରି ତା’ ଉପରେ ପାଦ ଚାପି ଲୁଚେଇ ରଖିଥିଲା ଏବଂ ଏତେ ମାଡ଼ ଖାଇବା ପରେ ବି ଦମ୍ଭ ଧରି ଛିଡ଼ା ହୋଇ ରହିଥିଲା। 
ତା’ର ପ୍ରକୃତି ଯେ କେବେ ହେଲେ ବଦଳିବ ନାହିଁ, ଏହା ସ୍ଥିର ନିଶ୍ଚିତ ଥିଲା।