କୁହାଯାଏ ଯେ ଜେନ୍ ଆଶ୍ରମରେ ରହୁଥିବା ଶିଷ୍ୟମାନଙ୍କ ମଧ୍ୟରୁ କେଉଁମାନେ ପ୍ରକୃତ ପ୍ରଜ୍ଞା ବା ସାଧାରଣ ଭାଷାରେ କହିଲେ ଗୂଢ଼ ବୁଦ୍ଧି ପ୍ରାପ୍ତ ହେଉଥିଲେ, ସେ କଥା ଗୁରୁମାନେ ଦୂରରୁ ମଧ୍ୟ ଜାଣି ପାରୁଥିଲେ। ଶୁଣାଯାଏ ଯେ ଜେନ୍‌ ଗୁରୁ ରିନଝାଇ ନିଜେ ଜ୍ଞାନ ପ୍ରାପ୍ତି ହେବା ପରେ ଗୁରୁଙ୍କ ଆଶ୍ରମର ପାହାଚ ଶ୍ରେଣୀ ଚଢ଼ି ଗୁରୁଙ୍କୁ ଦେଖା କରିବାକୁ ଯାଉଥିବା ବେଳେ ଗୁରୁ ଭିତରେ ଥାଇ କହି ଉଠିଲେ- ରିନଝାଇ, ତୋର ଶିକ୍ଷା ସମାପ୍ତ। ତୁ ଏବେ ଘରକୁ ଯାଆ। 
ରିନଝାଇ ଗୁରୁଙ୍କୁ ପ୍ରଣାମ କରି ପଚାରିଲେ- ଆପଣ ତ ମୋତେ ନ ଦେଖି କି ମୋ ସହିତ କଥାବାର୍ତ୍ତା ନ କରି କେମିତି ଜାଣିଲେ ଯେ ମୋର ଜ୍ଞାନ ପ୍ରାପ୍ତ ହୋଇ ସାରିଛି?
ଗୁରୁ କହିଲେ- ତୁ ଯେମିତି ପାହାଚ ଚଢୁଥିଲୁ, ସେଥିରୁ ଜାଣିଲି। ଯେଉଁମାନେ ଜ୍ଞାନ ପ୍ରାପ୍ତ ହୋଇ ନ ଥାଆନ୍ତି, ସେମାନଙ୍କ ଚାଲିରେ ବି ଅହମିକା ଥାଏ। ସେମାନଙ୍କ ପଦପାତ ଯେତେ ଧୀର ହେଲେ ବି ଆଘାତ ଦେଇଥାଏ। କିନ୍ତୁ ତୋ ପଦପାତରେ କଂପନଶୂନ୍ୟ କଂପନ ଥିଲା। ସେଇଥିରୁ ମୁଁ ବୁଝି ପାରିଲି।
ତେବେ କ’ଣ ସେହି କଂପନଶୂନ୍ୟ କଂପନର ଅର୍ଥ! ରିନଝାଇ ତାହା ତାଙ୍କର ଏକ କବିତାରେ ବୁଝାଇ ଦେଇଛନ୍ତି। ଆକାଶରେ ହଂସଯୂଥ ଉଡ଼ି ଚାଲିଛନ୍ତି। ତଳେ ପୁଷ୍କରିଣୀରେ ମୁକୁରସୁଲଭ ଜଳ ରାଶି। ହଂସଯୂଥଙ୍କ ପ୍ରତିବିମ୍ବ କ୍ଷଣଟିଏ ଲାଗି ପୁଷ୍କରିଣୀର ଜଳରେ ପଡ଼ି ପୁଣି ଉଭେଇଗଲା। ଏ କଥା ନା ହଂସଯୂଥକୁ ଜଣା ନା ପୁଷ୍କରିଣୀ ସେଥି ଲାଗି ଆଗରୁ ପ୍ରସ୍ତୁତ ଥିଲା! ଗୋଟିଏ କ୍ଷଣରେ ଜଳରାଶି ଉପରେ ପ୍ରତିବିମ୍ବଟିଏ ଫୁଟି ଉଭେଇଗଲା। ସବୁ କିଛି ଘଟିଗଲା, କିନ୍ତୁ ଘଟିବାର ସାମନ୍ୟତମ ଚିହ୍ନ ବି କେଉଁଠି ନ ଥିଲା! ଏହା ହେଉଛି ସେହି କଂପନଶୂନ୍ୟ କଂପନ।
ଗୁରୁ କହିଲେ- ରିନଝାଇ, ଅସଲ ଜ୍ଞାନପ୍ରାପ୍ତମାନେ ପକ୍ଷୀର ପର ବା ଫୁଲ ପାଖୁଡ଼ା ଭଳି ହାଲୁକା। ଏବଂ ଯେଉଁମାନେ ଓଜନଦାର ସେମାନେ ଜ୍ଞାନୀ ନୁହନ୍ତିି!