ମୁଲ୍ଲାଙ୍କ କଥା

କଥାଟିଏ-ଯାଯାବର

ଥରେ ଉଜ୍‌ବେକିସ୍ତାନର ରାଜା ନିୟମ କରିଦେଲେ ଏଣିକି ଓଲଟାପାଲଟା କଥା ଚଳିବନି। ଯିଏ ସେମିତି କହିବ ସେ ଫାଶୀ ପାଇବ। କେହି ବଙ୍କାଟେଙ୍କା କଥା କହିଲେ ନିସ୍ତାର ନାହିଁ।
ପରଦିନ ବଡ଼ି ସକାଳୁ ମୁଲ୍ଲା ରାଜ ନଅରକୁ ଆସିଲେ। ଏତେ ସକାଳେ ତାଙ୍କୁ ଦେଖି ଦରୁଆନ ପଚାରିଲା, ମୁଲ୍ଲା ବଡ଼ି ଭୋରରୁ କୁଆଡ଼େ?
ମୁଲ୍ଲା କହିଲେ, ଫାଶୀ ପାଇବାକୁ ଆସିଛି।
ଦରୁଆନ ମୁଲ୍ଲାଙ୍କ କଥା ଶୁଣି ଆଉ ସହି ପାରିଲା ନାହିଁ। କାରଣ ମୁଲ୍ଲା ସର୍ବଦା ବଙ୍କାଟେଙ୍କା କଥା କହି ସମସ୍ତଙ୍କୁ ରଗାଇ ଦିଅନ୍ତି। ତେଣୁ ରାଜାଙ୍କ ନିୟମ ଏବେ ମୁଲ୍ଲାଙ୍କୁ ପାନେ ଚଖାଇବାକୁ ଠିକ ହେବ ବୋଲି ଭାବି ସେ ମୁଲ୍ଲାଙ୍କ ବାହାକୁ ଧରି ଭିଡ଼ି ନେଇ ରାଜାଙ୍କ ପାଖରେ ପହଞ୍ଚିଲା।
ରାଜା ସବୁ ଶୁଣି କହିଲେ- ମୁଲ୍ଲା, ତୁମେ ସବୁ ବେଳେ ବଙ୍କା କଥା କହୁଛ? ଏବେ ନିୟମ ହୋଇଛି ପରା ସିଧା କଥା ନ କହିଲେ ଫାଶୀ ମିଳିବ?
ମୁଲ୍ଲା କହିଲେ ଆପଣଙ୍କ ଆଇନକୁ ମୁଁ ଭାରି ମାନେ। ଆପଣଙ୍କ ନିୟମ ଅନୁସାରେ ବଙ୍କା କଥା କହିଲେ ମୁଁ ଫାଶୀ ପାଇବି। ଠିକ କଥା। ତେବେ ମୁଁ ଫାଶୀ ପାଇବାକୁ ଆସିଛି ବୋଲି କହି ଯଦି ଫାଶୀ ପାଇବି, ତେବେ ମୋ କଥା ବଙ୍କା ହେବ କେମିତି? ମୁଁ ତ ସିଧା କଥା କହିଛି। ଏବେ ରାଜା କହନ୍ତୁ ସିଧା କଥା କହି ମୁଁ କ’ଣ ଫାଶୀ ପାଇବି?
ରାଜା କହିଲେ- ମୁଲ୍ଲା, ତୁମକୁ ସାଧୢ କରି ହେବ ନାହିଁ।

ସମ୍ବନ୍ଧିତ ଖବର