ସପ୍ତାହକୁ ଦୁଇ ଥର ସ˚ଧୢା ପରେ ରାଜା ସାଧାରଣ ଲୋକର ଛଦ୍ମବେଶରେ ଉଆସରୁ ଏକୁଟିଆ ବାହାରି ଯାଉଥିଲେ। କୈଶୋରରେ ପାଦ ଦେଇଥିବା ରାଜକୁମାର ଏହାର ରହସ୍ୟ ବୁଝିପାରନ୍ତି ନାହିଁ। ସେ ଦିନେ ମହାରାଜାଙ୍କୁ ଏ ବାବଦରେ ପଚାରିଲେ।
ମହାରାଜା କହିଲେ- ବାବୁ, ତୁମେ ଯେତେବେଳେ ରାଜା ହେବ, ଏଭଳି କରିବ। ଏହା ଦ୍ବାରା ଜଣେ ସାଧାରଣ ଲୋକ ବେଶରେ ତୁମେ ପ୍ରଜାମାନଙ୍କ ସହିତ ମିଶିଯାଇପାରିବ। ସେମାନଙ୍କ ସହିତ ବନ୍ଧୁତା କରି ସେମାନଙ୍କ ଅସଲ ପରିସ୍ଥିତି ବିଷୟରେ ଜାଣିପାରିବ। ଯାହା ଫଳରେ ରାଜ୍ୟ ଶାସନ କରିବା ସୁବିଧାଜନକ ହେବ। ତୁମେ ବିସ୍ମିତ ହେବ ଏ ରାଜ୍ୟରେ ଅନେକ ପ୍ରଜା ମୋର ବନ୍ଧୁ, କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ମୁଁ ହେଉଛି ମହାରାଜା।
କିଶୋର ରାଜକୁମାର କହିଲେ- କିନ୍ତୁ ଏମିତି ଛଦ୍ମବେଶରେ ନ ଯାଇ ପ୍ରକାଶ୍ୟରେ ଦିନ ବେଳେ ରାଜ୍ୟ ସାରା ବୁଲିଲେ କ’ଣ ଚଳିବ ନାହିଁ?
ରାଜା କହିଲେ- ନା ଚଳିବ ନାହିଁ। କାରଣ ତୁମେ ରାଜା ଭାବେ ବାହାରିଲେ, ଯାହା ଉତ୍ତର ପାଇବ ସେ ସବୁ ଥିବ ତୁମକୁ ସନ୍ତୁଷ୍ଟ କରିବା ଲାଗି। ଲୋକେ ହାରିଗୁହାରି ଜଣାଇବେ, କିନ୍ତୁ ରୋଷ ଓ ଅଭିମାନ ଜଣାଇବେ ନାହିଁ। ଛଦ୍ମବେଶରେ ଗଲେ ମୁଁ ପ୍ରଜାମାନଙ୍କ ଠାରୁ ମୁକ୍ତ ପ୍ରତିକ୍ରିୟା ମଧ୍ୟ ପାଏ।
କିଶୋର ରାଜକୁମାର କହିଲେ- ଏଭଳି ରୋଷ, ଅଭିମାନ ଏପରିକି ଅଭିସଂପାତ ଶୁଣିଲେ ଆପଣଙ୍କ ମନରେ କ୍ରୋଧ ଜାତ ହୁଏ ନାହିଁ?
ରାଜା କହିଲେ- ତାହା କାହିଁକି ହେବ? ତୁମ କାନ୍ଧରେ ରାଜ୍ୟ ଚଳାଇବାର ଭାର ଯେତେବେଳେ ଅର୍ପଣ କରିବି ସେତିକି ବେଳେ ଭାବିନେବ ନାହିଁ ଯେ ପ୍ରଜାମାନେ ତୁମର ଦାସ। ପ୍ରକୃତରେ କଥାଟି ଓଲଟା। ସେମାନଙ୍କ ଦାୟିତ୍ବ ଆମ କାନ୍ଧରେ। ଆମେ ସେମାନଙ୍କ ଦାସ। ଏଭଳି ହେଲେ ଯାଇ ତୁମେ ନିର୍ବିଘ୍ନରେ ରାଜ୍ୟ ଚଳାଇ ପାରିବ।