ପାଗଳ ନସିରୁଦ୍ଦିନ

କଥାଟିଏ-ଯାଯାବର

ମୁଲ୍ଲା ନସିରୁଦ୍ଦିନ ଥିଲେ କୌଣସି ଶବ୍ଦକୁ ଭୟ କରୁଥିବା ଜଣେ ଲୋକ। ଟିକିଏ ଟିକିଏ ଶବ୍ଦକୁ ସେ ଡରି ଲୁଚୁଥିଲେ। କିନ୍ତୁ କ୍ରମେ ‌ସେ ଭୟ ବଢ଼ିବାକୁ ଲାଗିଲା। ପରିସ୍ଥିତି ଏମିତି ହେଲା ଯେ ଟେଲିଫୋନ୍‌ର ଘଣ୍ଟି ବାଜିଲେ ବି ମୁଲ୍ଲା ଛାନିଆରେ ଦୌଡ଼ିଲେ। ଫୋନ୍ କରିଥିବା ଲୋକର କୌଣସି ଜରୁରୀ କଥା କହିବାର ଥିଲେ ମୁଲ୍ଲାଙ୍କୁ ଘୋଷାରି ଘୋଷାରି ଆଣିବାକୁ ହେଉଥିଲା। ଏଣୁ ସ୍ବାଭାବିକ ଭାବେ ଲୋକେ ଭାବି‌ଲେ ଯେ ସେ ପାଗଳ ହୋଇ ଯାଇଛନ୍ତି। ତାଙ୍କୁ ପାଗଳ ମୁଲ୍ଲା ବୋଲି ଡକାଯିବାକୁ ଲାଗିଲା।
ଏଥିରେ ତାଙ୍କ ପରିବାର ବ୍ୟସ୍ତ ହୋଇ ତାଙ୍କୁ ଜଣେ ମନୋଚିକିତ୍ସକଙ୍କ ପାଖକୁ ନେଲେ। କିଛି ଦିନ ନିୟମିତ ଭାବେ ମୁଲ୍ଲା ନସିରୁଦ୍ଦିନ ମନୋଚିକିତ୍ସକଙ୍କ ନିକଟକୁ ଯାଉଥିବା ଦେଖିବାକୁ ମିଳିଲା।
କିଛି ଦିନ ପରେ ମୁଲ୍ଲା ଆଉ ମନୋଚିକିତ୍ସକଙ୍କ ନିକଟକୁ ଗଲେ ନାହିଁ। ତାଙ୍କ ପରିବାରର ଲୋକେ କହିଲେ ମୁଲ୍ଲା ପୂରାପୂରି ଭଲ ହୋଇ ଯାଇଛନ୍ତି। କିନ୍ତୁ ଲୋକେ ତଥାପି ତାଙ୍କୁ ପାଗଳ ମୁଲ୍ଲା ବୋଲି ଡାକିବାକୁ ଲାଗିଲେ।
ଏହାର କାରଣ କ’ଣ ଜାଣିବା ଲାଗି ମନୋଚିକିତ୍ସକ ଜଣକ ଦିନେ ଆସି ତାଙ୍କ ସହରରେ ପଚାରିବାରୁ ତାଙ୍କ ପଡ଼ୋଶୀମାନେ କହିଲେ- ଆଜ୍ଞା, ଆପଣଙ୍କ ଚିକିତ୍ସା ତାଙ୍କୁ ଏତେ ଭଲ କରି ଦେଇଛି ଯେ ସେ ଆଗରୁ ଯାହା କରୁଥିଲେ ଏବେ ତାର ଓଲଟା କାମ କରୁଚନ୍ତି। ଅର୍ଥାତ୍‌ ପୂର୍ବେ ଟେଲିଫୋନ୍‌ର ରିଂ ବାଜିଲେ ଭୟରେ ଲୁଚୁଥିଲେ। କିନ୍ତୁ ଏବେ ଫୋନ୍‌ରେ ରିଂ ବାଜୁ ନ ଥିଲେ ବି ରିସିଭର ଉଠାଇ ଘଣ୍ଟା ଘଣ୍ଟା ଧରି ଗପୁଛନ୍ତି।

ସମ୍ବନ୍ଧିତ ଖବର