ଥରେ ଜଣେ ରାଜା କିଛି କର୍ମଚାରୀଙ୍କୁ ନେଇ ଯାଉଥିଲେ ମରୁଭୂମିରେ। ମରୁଭୂମିରେ ଯାତ୍ରା କରିବା ହେଉଛି ସବୁଠାରୁ କଠିନ। ଓଟ ପିଠିରେ ଲଦା ହୋଇଥିଲା ପାଣିର ମୁଣି। କିନ୍ତୁ ସମସ୍ତଙ୍କ ଅଲକ୍ଷ୍ୟରେ ପାଣିର ମୁଣିରେ ଛିଦ୍ର ହୋଇଯାଇଥିଲା। ଏଇ କଥାଟି ଜଣାପଡ଼ିଲା ବେଳକୁ ଆହୁରି ଅଧା ବାଟ ବାକି ଥିଲା, କିନ୍ତୁ ପାଣିର ତିନି-ଚତୁର୍ଥା˚ଶ ସରି ଯାଇଥିଲା। ଏ କଥା ଜଣାପଡ଼ିବା ପରେ ଭାଳେଣି ପଡ଼ିଗଲା। କାରଣ ଯେତିିକି ଯାତ୍ରା ବାକି ଥିଲା ସେତିକି ସାରିବା ଲାଗି ଏ ପାଣି ଆଦୌ ଯଥେଷ୍ଟ ନ ଥିଲା। ତେବେ କିଏ ପାଣି ପିଇବ, କିଏ ପିଇବ ନାହିଁ ଏ ନେଇ ବିଚାର ଚାଲିଲା। 
କର୍ମଚାରୀମାନେ କହିଲେ- ମହାରାଜ, ଆମେ ହେଉଛୁ ପ୍ରଜା। ଆପଣ ରାଜା, ଆମର ପାଳକ। ତେଣୁ ଆପଣ ପାଣି ପିଇ ବଞ୍ଚି ରହନ୍ତୁ। ଆମେ ଜଳ ତ୍ୟାଗ କରୁଛୁ। ତେଣିକି ଯାତ୍ରା ସରିବା ପରେ ଦେଖିବା ଆମ ଭିତରୁ କିଏ ଗଲା, ଆଉ କିଏ ରହିଲା। 
ରାଜା କହିଲେ- କି ଆଶ୍ଚର୍ଯ୍ୟର କଥା? ମୁଁ ହେଉଛି ରାଜା। ମୁଁ ହେଉଛି ପାଳନକର୍ତ୍ତା। ମୁଁ କେମିତି ପାଣି ପିଇ ବଞ୍ଚି ରହିବି ଏବ˚ ତୁମମାନଙ୍କୁ ମରିବାକୁ ଦେବି? ଏଣୁ ମୁଁ ଜଳ ତ୍ୟାଗ କରୁଛି। 
କିନ୍ତୁ ଏ ବିଚାରର ଶେଷ ହେଲା ନାହିଁ। ତର୍କ ଛିଣ୍ତିଲା ନାହିଁ। ତେବେ ଭାଗ୍ୟକୁ ଏ ସମୟରେ ଉପସ୍ଥିତ ହେଲେ ଆଉ ଦଳେ ମରୁଯାତ୍ରୀ। ସେମାନଙ୍କ ପାଖରେ ଯଥେଷ୍ଟ ପାଣି ଥିଲା। ଏବେ ସମସ୍ତେ ପାଣି ପିଇ ଯାତ୍ରାକୁ ଶେଷ କଲେ। 
ସନ୍ଥ ଫିରୋଜ ଏ କଥା କହି ପଚାରିଲେ- ତୁମେମାନେ କହ ଏଭଳି ଘଡ଼ିସନ୍ଧି ବେଳାରେ କିଏ ପାଣି ପିଇବା ଉଚିତ ଥିଲା? ରାଜା ନା କର୍ମଚାରୀମାନେ? 
ଜଣେ ଶିଷ୍ୟ କହିଲା- ମୋ ମତରେ ରାଜା ପ୍ରଥମେ ପିଇବା ଉଚିତ। କାରଣ ସର୍ବଦା ଏଭଳି ପ୍ରଜା ମିଳିବେ, ଯେଉଁମାନେ ରାଜାଙ୍କ ଲାଗି ନିଜ ଜୀବନ ବିସର୍ଜନ କରିଦେବେ। କିନ୍ତୁ ପ୍ରଜାଙ୍କୁ ବଞ୍ଚାଇ ରଖିବା ଲାଗି ପ୍ରସ୍ତୁତ ଜଣେ ରାଜା ବିରଳ। ତେଣୁ ସେଭଳି ରାଜା ବଞ୍ଚି ରହିବା ଉଚିତ।