ସଂଳାପର ଅଭାବ

କଥାଟିଏ-ଯାଯାବର

ସଂଳାପର ଅଭାବ କେମିତି ପରିସ୍ଥିତି ସୃଷ୍ଟି କରିପାରେ, ସେ ବିଷୟରେ ଉଦାହରଣ ଦେଇ ୟୁଜି କୃଷ୍ଣମୂର୍ତ୍ତି ଏହି ଗପଟି କହୁଥିଲେ।
ଗୋଟିଏ ହୋଟେଲକୁ ଜଣେ ଖୁସ୍‌ ମିଜାଜିଆ ଯୁବକ ପ୍ରବେଶ କରି ନିଜ ପ୍ରକୋଷ୍ଠର ଚାବି ନେଲା ବେଳକୁ କାଉଣ୍ଟରରେ ବସିଥିବା ବ୍ୟକ୍ତି ତାଙ୍କୁ ଚେତାଇ ଦେଇ କହିଲେ- ମହାଶୟ, ଆପଣଙ୍କ ପାଖ କୋଠରିରେ ଯେଉଁ ବୃଦ୍ଧ ଭଦ୍ରବ୍ୟକ୍ତି ରହୁଛନ୍ତି, ସେ କୌଣସି ଶବ୍ଦକୁ ଭୟ କରନ୍ତି। ତେଣୁ ତାଙ୍କ ଅନୁରୋଧ ଅନୁସାରେ ଆମେମାନେ ଜଣାଇ ଦେଉଛୁ କି ଆପଣ ଦୟା କରି ଆପଣଙ୍କ କୋଠରିରେ ବଡ଼ ଧରଣର ଶବ୍ଦ କରିବେ ନାହିଁ।
ଯୁବକ ରାଜି ହୋଇ ନିଜ ପ୍ରକୋଷ୍ଠକୁ ଗଲେ କିନ୍ତୁ ସେଠାରେ ପହଞ୍ଚିଲା ବେଳକୁ କାଉଣ୍ଟରରେ କୁହାଯାଇଥିବା କଥା ଭୁଲି ଯାଇଥିଲେ। ପ୍ରକୋଷ୍ଠରେ ପହଞ୍ଚି ପ୍ରଥମେ ତାଙ୍କର ଗୋଟିଏ ଜୋତା କାଢ଼ି ଜୋରରେ ଛାଟି ଦେବା ପରେ ତାଙ୍କର ସହସା ସେହି କଥା ମନେ ପଡ଼ିଗଲା। ସୁତରାଂ,‌ ସେ ଆର ଜୋତାଟି ଖୋଲି ଧୀରେ ଥୋଇ ‌େଦଇ ଆସିଲେ।
ପର ଦିନ ସକାଳେ ଯୁବକ ପ୍ରକୋଷ୍ଠରୁ ବାହାରିବା ବେଳକୁ ବାହାରେ ବୃଦ୍ଧ ବ୍ୟସ୍ତ ହୋଇ ଛିଡ଼ା ହୋଇଥିଲେ। ଯୁବକ ତାଙ୍କୁ ସହାସ୍ୟ ବଦନରେ ଅଭିବାଦନ ଜଣାଇବା ବେଳେ ବୃଦ୍ଧ କହିଲେ- ଆର ଜୋତାଟି ବି ରଖି ଦିଅନ୍ତୁ। କାରଣ କେତେବେଳେ ତାକୁ ଫିଙ୍ଗିବେ, ସେହି ଭୟରେ ମୁଁ ରାତି ସାରା ଶୋଇ ପାରିନାହିଁ। ଆର ଜୋତାଟି ରଖି ଦେଲେ ମୁଁ ଟିକିଏ ଶୁଅନ୍ତି।
କଥାଟି କହିସାରି କୃଷ୍ଣମୂର୍ତ୍ତି କହିଲେ- ଗୋଟିଏ କାନ୍ଥର ବ୍ୟବଧାନ। କିନ୍ତୁ ଉଭୟଙ୍କ ଭିତରେ ସଂଳାପର ଅଭାବ ତାଙ୍କୁ ଶୁଆଇ ଦେଲା ନାହିଁ। ପର ଦିନ ସେହି ସଂଳାପ ସମସ୍ତ ସଂଶୟ ଦୂର କଲା।

ସମ୍ବନ୍ଧିତ ଖବର