ଭୁଲ୍‌ କାମ, ଭୁଲ୍‌ ଲୋକ

କଥାଟିଏ-ଯାଯାବର

ଥରେ ଜଣେ ଭଦ୍ରଲୋକ ଗୋଟିଏ ସଭାକକ୍ଷରୁ ବାହାରି ବାହାରେ ରଖିଥିବା ଚପଲଗୁଡ଼ିକ ଭିତରୁ ହଳେ ପିନ୍ଧିବାକୁ ବାହାରିବା ବେଳକୁ ପାଖରେ ଛିଡ଼ା ହୋଇଥିବା ମୁଲ୍ଲା ନସିରୁଦ୍ଦିନ ବଡ଼ ପାଟିରେ କହି ପକାଇଲେ- ୟେ ଜଣେ ଭୁଲ୍‌ ଲୋକ ଦେଖୁଛି!
ଏହା ଶୁଣି ଭଦ୍ରଲୋକ ପଚାରିଲେ- କାହାକୁ କହୁଛନ୍ତି?
ମୁଲ୍ଲା କହିଲେ- ଆପଣଙ୍କୁ। କାରଣ ଆପଣ ଅନ୍ୟ ଲୋକର ଚପଲ ପିନ୍ଧିବାକୁ ଯାଉଛନ୍ତି।
ଭଦ୍ରଲୋକ କହିଲେ- ତୁମେ କେମିତି ଜାଣିଲ ଯେ ମୁଁ ଅନ୍ୟର ଚପଲ ପିନ୍ଧିବାକୁ ବାହାରିଛି ବୋଲି?
ମୁଲ୍ଲା କହିଲେ- କାରଣ ଏ ଚପଲ ହଳକ ମୁଲ୍ଲା ନସିରୁଦ୍ଦିନର।
ଭଦ୍ରଲୋକ ପଚାରିଲେ- ମୁଲ୍ଲା ନସିରୁଦ୍ଦିନ କିଏ?
ମୁଲ୍ଲା କହିଲେ- ମୁଁ।
ଭଦ୍ରଲୋକ ତା’ ପରେ କହିଲେ- ଆଚ୍ଛା ଆଚ୍ଛା। ତେବେ ମୁଲ୍ଲା, ମୁଁ ପଚାରୁଛି ମୁଁ ଭୁଲ୍‌ ଚପଲ ପିନ୍ଧୁଛି ବୋଲି ନ କହି ମୁଁ ଜଣେ ଭୁଲ୍‌ ଲୋକ ବୋଲି ତୁମେ କାହିଁକି କହିଲ?
ମୁଲ୍ଲା କହିଲେ- ଭୁଲ୍‌ କାମ କେବଳ ଭୁଲ୍‌ ଲୋକ କରନ୍ତି।
କଥାଟି କହି ସାରି ୟୁଜିକେ କହିଲେ- ମୁଲ୍ଲା ଠିକ୍‌ କହିଥିଲେ। ଆପଣ ଯଦି ଭୁଲ କାମ କରିବାକୁ ଚାହୁଁ ନାହାନ୍ତି, ତେବେ ପ୍ରଥମେ ଆପଣଙ୍କୁ ଜଣେ ଠିକ୍‌ ଲୋକ ହେବାକୁ ପଡ଼ିବ। ତେଣୁ ନିଜକୁ ହିଁ ବଦଳାଇବାକୁ ହେବ। ନିଜକୁ ଭୁଲ୍‌ରୁ ଠିକ୍‌ କରିବାକୁ ହେବ।

ସମ୍ବନ୍ଧିତ ଖବର