ଗୋଟିଏ ସହରରେ ବିଚିତ୍ର କଥାଟିଏ ଘଟିଲା। ମନ୍ଦିର ଆଗରେ ବହୁ ଦିନ ଧରି ଭୋଗ ଓ ଘିଅ ଦୀପ ବିକ୍ରି କରୁଥିବା ବୁଢ଼ା ଓ ସହରର ଶେଷ ମୁଣ୍ତରେ ବହୁ ଦିନ ଧରି ମଦ ବିକ୍ରି କରୁଥିବା ବୁଢ଼ାଙ୍କର ଗୋଟିଏ ବେଳାରେ ମୃତ୍ୟୁ ହୋଇଗଲା। ସାଙ୍ଗେସାଙ୍ଗେ ଯମଦୂତମାନେ ଭୋଗ ବିକୁଥିବା ବୁଢ଼ାର ଆତ୍ମାକୁ ଧରି ନର୍କକୁ ଚାଲିଲେ। ବାଟରେ ଦେଖାଗଲା ଯେ ଦେବଦୂତମାନେ ମଦ ବିକୁଥିବା ବୁଢ଼ାର ଆତ୍ମାକୁ ଧରି ସ୍ବର୍ଗ ଅଭିମୁଖେ ଛୁଟିଛନ୍ତି। ଭୋଗ ବିକୁଥିବା ବୁଢ଼ାର ଆତ୍ମା ଖୁବ୍‌ ଜୋରରେ ଏହାର ପ୍ରତିବାଦ କଲା। ଯମଦୂତମାନେ କହିଲେ- ଆମେ କେବଳ ଆଦେଶ ପାଳୁଛୁ। ଆପଣ ଯମରାଜଙ୍କୁ ଏ କଥା କହିବେ।
ଯମରାଜଙ୍କ ଦରବାରରେ ପହଞ୍ଚିବା ପରେ ଭୋଗ ବିକୁଥିବା ବୁଢ଼ା କହିଲା- ମୋ ପ୍ରତି ଅନ୍ୟାୟ ହୋଇଛି। ନିଶ୍ଚୟ କିଛି ଭୁଲ୍‌ଭଟକା ରହିଯାଇଛି। ମଦ ବିକ୍ରି କରୁଥିବା ବୁଢ଼ା ବଦଳରେ ଆପଣ ମୋତେ ଏଠାକୁ ନେଇ ଆସି ନାହାନ୍ତି ତ? 
ଚିତ୍ରଗୁପ୍ତ ଉଭୟଙ୍କ ଜୀବନ ପଞ୍ଜିକା ଖୋଲି ଦେଖିସାରିବା ପରେ କହିଲେ- ଆପଣ ଭଗବାନଙ୍କ ସେବା କାମରେ ରହିଥିବା ସତ୍ତ୍ବେ ମିଥ୍ୟାଚାର କରିଛନ୍ତି, ଭୋଗ ସାମଗ୍ରୀ ଓ ଘିଅରେ ପ୍ରଚୁର ଅପମିଶ୍ରଣ କରିଛନ୍ତି। ଗ୍ରାହକମାନଙ୍କ ଠାରୁ ଅସତ୍‌ ଉପାୟରେ ଅଧିକ ପଇସା ନେଇଛନ୍ତି। କିନ୍ତୁ ମଦ ବିକାଳି ତା’ର କାରବାରକୁ ସତ୍‌ ଉପାୟରେ ଚଳାଇଥିଲା। ଅନ୍ତତଃ ଭଲ ମଦ ବିକ୍ରି କରୁଥିଲା ଓ ଉଚିତ ମୂଲ୍ୟ ନେଉଥିଲା। ନିଶାଗ୍ରସ୍ତମାନଙ୍କ ଠାରୁ କିଛି ଚୋରେଇ ନେବା ଭଳି କାମ କରି ନ ଥିଲା। ତେବେ ମଦ ବିକୁଥିବା ହେତୁ ସେ କ୍ଷଣଟିଏ ନର୍କ ଆସିବ ଏବଂ ଭୋଗ ବିକୁଥିବା ହେତୁ ତୁମେ କ୍ଷଣିଏ ସ୍ବର୍ଗ ଯିବ। କିନ୍ତୁ ବାକି ସମୟ ସେ ସ୍ବର୍ଗରେ ଏବଂ ତୁମେ ନର୍କରେ କାଟିକ।