ମୁଲ୍ଲା ନସିରୁଦ୍ଦିନଙ୍କ ବିଚାର, ବୁଦ୍ଧି ବାବଦରେ ରାଜା ଅନେକ ଶୁଣିବା ପରେ ଦିନେ ଦୁଇ କର୍ମଚାରୀଙ୍କୁ ଡାକି କହିଲେ- ମୁଲ୍ଲାଙ୍କ ବୁଦ୍ଧିମତ୍ତା ଓ ଚତୁରତାର ପଟାନ୍ତର ନାହିଁ। କିନ୍ତୁ ଦୁର୍ଭାଗ୍ୟ, ସେ ଲୋକ ରହୁଛି ଏକ ନିପଟ ମଫସଲ ଗାଁରେ। ପୁଣି ସେ ଅତି ଗରିବ। ତୁମେମାନେ ତାଙ୍କୁ ଯାଇ କହ ଯେ ରାଜା ଡାକିଛନ୍ତି ଏବ˚ ତାଙ୍କୁ ଗୁରୁ କରିବା କଥା ମନରେ ଭାବିଛନ୍ତି। ମୁଲ୍ଲା ଏଠାକୁ ଆସିଲେ ତାଙ୍କର ଆଉ କୌଣସି ଅସୁବିଧା ରହିବ ନାହିଁ।
ସେମାନେ ମୁଲ୍ଲାଙ୍କୁ ଆଣିବା ଲାଗି ଗଲେ। ସେମାନଙ୍କ ଭିତରୁ ଜଣେ କହିଲା- ରାଜା ଖାଲି ଅଯଥାରେ ବ୍ୟସ୍ତ ହେଉଛନ୍ତି। ଦେଖିବ, ରାଜାଙ୍କ ପ୍ରସ୍ତାବ ଶୁଣିବା ମାତ୍ରକେ ସେ କେମିତି ଡଗଡଗ ହୋଇ ବାହାରି ଆସିବେ।
ସେମାନେ ମୁଲ୍ଲାଙ୍କ ଘରେ ପହଞ୍ଚିଲା ବେଳକୁ ମୁଲ୍ଲା ତାଙ୍କ ଘର ପିଣ୍ତାରେ ମହାନନ୍ଦରେ ବସିଥିଲେ। ଦୁଇ ବିଚକ୍ଷଣ ଲୋକ ତାଙ୍କ ଆଗରେ ରାଜାଙ୍କ ପ୍ରସ୍ତାବ ଦେଇ ରାଜା କହିଥିବା ଭଳି ଫୁସୁଲାଇବାକୁ ଲାଗିଲେ। ମୁଲ୍ଲା ଏ ସବୁ ଶୁଣି ଅତିଷ୍ଠ ହୋଇ କହିଲେ- ମୁଁ ଆପଣଙ୍କ କଥା ବୁଝିସାରିଲିଣି। ସତରେ ରାଜା ଭାରି ଦୟାଳୁ। ହେଲେ, ମୋ ଗଧ କଥା ଟିକିଏ ବୁଝନ୍ତୁ। ତା’ର ଭାରି ଇଚ୍ଛା ଟିକିଏ ରାଜକୀୟ ଆଦର ପାଇବ। ତାକୁ ନେଇ ଯାଆନ୍ତୁ। ତା’ ମୁଣ୍ତରେ ମୁକୁଟଟିଏ ପିନ୍ଧାଇବେ, ରାଜକୀୟ ଖାଦ୍ୟ ଦେବେ, ତାକୁ ବିଞ୍ଚଣାରେ ବିଞ୍ଚିବେ, ଭଲ ଶେଯରେ ଶୁଆଇବେ ଏବ˚ ସୁନ୍ଦରୀମାନଙ୍କୁ କହିବେ ତା’ର ଗୋଡ଼ ମୋଡ଼ିଦେବେ।
ଏ କଥା ଶୁଣି ଦୁଇ ବିଚକ୍ଷଣ ଲୋକ କହିଲେ- ଆପଣ ଏ କ’ଣ କହୁଛନ୍ତି। ଗଧ ଲାଗି ତ ତାହା ନରକ ଯନ୍ତ୍ରଣାରେ ପରିଣତ ହେବ। ଗଧ ଲାଗି ସବୁଠାରୁ ଭଲ ହେଲା ସେ ଏଠି ଯେମିତି ଅଛି ସେମିତି ରହିବ, ଘାସ ଖାଇବ।
ମୁଲ୍ଲା କହିଲେ- ଠିକ୍ କହିଛ। ମୁଁ ବି ଏ ଗଧ ଭଳି ଏଇଠି ଆରାମରେ ଅଛି। ମୋତେ ଅଧିକ ଯତ୍ନ ନେଇ ଭାରି ଗେହ୍ଲାରେ ରଖିଲେ ମୁଁ ମରିଯିବି। ଯିଏ ରାଜାଙ୍କ ପାଖରେ ଆନନ୍ଦରେ ରହିବ ତାକୁ ଯାଅ ଖୋଜି ଆଣିବ।
କଥାଟିଏ-ଯାଯାବର: ନସିରୁଦ୍ଦିନଙ୍କୁ ଡାକରା
ମୁଲ୍ଲା ନସିରୁଦ୍ଦିନଙ୍କ ବିଚାର, ବୁଦ୍ଧି ବାବଦରେ ରାଜା ଅନେକ ଶୁଣିବା ପରେ ଦିନେ ଦୁଇ କର୍ମଚାରୀଙ୍କୁ ଡାକି କହିଲେ- ମୁଲ୍ଲାଙ୍କ ବୁଦ୍ଧିମତ୍ତା ଓ ଚତୁରତାର ପଟାନ୍ତର ନାହିଁ। କିନ୍ତୁ ଦୁର୍ଭାଗ୍ୟ, ସେ ଲୋକ ରହୁଛି ଏକ ନିପଟ ମଫସଲ ଗାଁରେ। ପୁଣି ସେ ଅତି ଗରିବ।