ବିଭୁଦତ୍ତ ନାମରେ ଜଣେ ବଣିକ ଥିଲେ। ତାଙ୍କର ଧନସ˚ପତ୍ତି ବହୁତ ଥିଲା। ଥରେ ସେ ତାଙ୍କ ପତ୍ନୀଙ୍କୁ ଏକ ଦୁର୍ମୂଲ୍ୟ ହାର ଉପହାର ସ୍ବରୂପ ଦେଲେ। ବିଭୁଦତ୍ତଙ୍କ ପତ୍ନୀ ତାକୁ ପିନ୍ଧି ସାଇ ପଡ଼ିଶା ସମସ୍ତଙ୍କୁ ଦେଖାଇଲେ ଏବ˚ କହିଲେ- ଦେଖ, ମୋ ସ୍ବାମୀ ମୋତେ କେତେ ଭଲ ପାଆନ୍ତି। 
ଏ କଥାଟି ବାଧିଗଲା ବିଭୁଦତ୍ତଙ୍କ ପତ୍ନୀଙ୍କ ପରମ ବାନ୍ଧବୀଙ୍କୁ। ତାଙ୍କ ସ୍ବାମୀ ଗୁରୁଦତ୍ତ ତାଙ୍କୁ ସେ ଯାବତ୍‌ କିଛି ଉପହାର ଦେଇ ନ ଥିଲେ। ସେ ମନ ମାରି ଘରକୁ ଫେରିଲେ। କଥା କ’ଣ ବୋଲି ଜାଣିବା ପାଇଁ ଗୁରୁଦତ୍ତ ବହୁତ ପଚାରିବାରୁ ତାଙ୍କ ପତ୍ନୀ ମନ କଥା କହିଦେଲେ। ସେ କହିଲେ-ତୁମେ ଯଦି ସତରେ ମୋତେ ଭଲ ପାଉଥାଅ, ତେବେ ମୋ ଲାଗି ସେଇଭଳି ଏକ ହାର ଆଣିଦିଅ। ଗୁରୁଦତ୍ତ କହିଲେ- ମୁଁ ତୁମକୁ ଭଲ ପାଏ ବୋଲି ତୁମ ମନରେ ସନ୍ଦେହ ଅଛି କି? ତଥାପି ଯଦି କହୁଛ ଚେଷ୍ଟା କରିବି। 
ଗୁରୁଦତ୍ତ ବିଭୁଦତ୍ତଙ୍କ ଭଳି ଧନୀ ନ ଥିଲେ। ଅଳଙ୍କାର ଦୋକାନରେ ଠିକ୍‌ ସେଇଭଳି ଏକ ହାରର ମୂଲ୍ୟ ବୁଝିଲା ପରେ ତାଙ୍କ ବୁଦ୍ଧି ହଜିଗଲା। ସେ କିନ୍ତୁ ହାରଟି କିଣିବା ପାଇଁ ନିଜର ଅନେକ ସ୍ଥାବର ସ˚ପତ୍ତି, ଜମିବାଡ଼ି ବିକ୍ରି କରି ହାରଟି କିଣିବା ସକାଶେ ଅର୍ଥ ଜୁଟାଇଲେ। ତା’ ପରେ ଗୁରୁଦତ୍ତ ପତ୍ନୀଙ୍କୁ ହାର ଦେଲା ବେଳକୁ କହିଲେ- ହାରଟି ନିଅ। କିନ୍ତୁ ଏହା ସହିତ ଭଲ ପାଇବାକୁ ଯୋଡ଼ିବ ନାହିଁ। ମୋର ତୁମ ପ୍ରତି ସ୍ନେହ ସହିତ ହାରର କିଛି ସ˚ପର୍କ ନାହିଁ। 
ଦିନେ ବିଭୁଦତ୍ତଙ୍କ ପତ୍ନୀଙ୍କ ବେକରୁ ହାରଟି କେଉଁଠି ପଡ଼ିଗଲା। ତାଙ୍କ ସ୍ବାମୀ ଭୀଷଣ ବିରକ୍ତ ହେବେ, ସେ ଏବେ କ’ଣ କରିବେ ଆଦି କହି ସେ କାନ୍ଦିବାକୁ ଲାଗିଲେ। ତେବେ ହାରଟି ସକାଶେ ବାନ୍ଧବୀ ସ୍ବାମୀଙ୍କ ଦ୍ବାରା ଲା˚ଛିତା ହେବେ ବୋଲି ଜାଣି ଗୁରୁଦତ୍ତଙ୍କ ପତ୍ନୀ ନିଜ ହାରଟି ତାଙ୍କୁ ଦେଇଦେଲେ। ବିଭୁଦତ୍ତଙ୍କ ପତ୍ନୀ ଚକିତ ହୋଇ ପଚାରିଲେ- ତୁମେ ତୁମ ସ୍ବାମୀଙ୍କୁ କି ଜବାବ ଦେବ? ୟେ ପରା ତୁମ ଦୁହିଁଙ୍କ ପ୍ରେମର ସନ୍ତକ? ପୁଣି ତୁମ ସ୍ବାମୀ କେତେ କଷ୍ଟରେ ଏ ହାର କିଣିଥିଲେ!
ଗୁରୁଦତ୍ତଙ୍କ ପତ୍ନୀ କହିଲେ- ତୁମେ ସ˚କୋଚ ନ କରି ଏହାକୁ ନିଅ। ମୁଁ ଏବେ ବୁଝିଗଲିଣି ପ୍ରେମ କାହାକୁ କହନ୍ତି। ଏହା ଯେତେ ମୂଲ୍ୟବାନ ହୋଇଥିଲେ କ’ଣ ହେବ, ଏହାକୁ ମୋ ସ୍ବାମୀଙ୍କ ସ୍ନେହ ସହିତ ଯୋଡ଼ିବି ନାହିଁ। ଏହା ମୋ ପାଖରେ ନଥିଲେ ବି ସେ ମୋତେ କିଛି ପଚାରିବେ ନାହିଁ। ହଜିଗଲା ବୋଲି ଜାଣିଲେ ବି କ୍ଷମା କରିଦେବେ। କାରଣ ସେ ମୋତେ ସତରେ ଭଲ ପାଆନ୍ତି।