ସର୍ବଶ୍ରେଷ୍ଠ ଧନୀ

କଥାଟିଏ-ଯାଯାବର

ସେ ଦିନ ଶିକ୍ଷକ କ୍ଲାସ୍‌ରେ ପିଲାମାନଙ୍କୁ କହିଲେ- ତୁମେମାନେ ଭାବୁଛ କି ଯେଉଁ ରାଜା ମହାରାଜାମାନେ ଅକଳନ୍ତି ଧନରତ୍ନ ଭଣ୍ଡାରର ମାଲିକ ଥିଲେ, ବିଶାଳ ସାମ୍ରାଜ୍ୟର ପ୍ରଭୁ ଥିଲେ, ସେମାନଙ୍କୁ ଧନୀ ବୋଲି କୁହାଯିବ? ନା। ଯେଉଁମାନେ ସେମାନଙ୍କ ସମସ୍ତ ସମୟ ବ୍ୟୟ କରି ଧନସଂପଦ ଅର୍ଜନ କରି କୋଟିପତି ବା ଅର୍ବପତିରେ ପରିଣତ ହୋଇଛନ୍ତି, ସେମାନଙ୍କୁ ମଧ୍ୟ ଧନୀ ବୋଲି କୁହାଯାଇ ନ ପାରେ।
ଏହା ଶୁଣି ଜଣେ ପିଲା ପଚାରିଲା- ଏମିତି କାହିଁକି ଓ ତାହା ହେଲେ ଆପଣଙ୍କ ମତରେ କିଏ ସର୍ବଶ୍ରେଷ୍ଠ ଧନୀ?
ଶିକ୍ଷକ କହିଲେ- ଯେଉଁମାନଙ୍କ ଠାରେ ଧନ ଅର୍ଜନର ଲାଳସା ମେଣ୍ଟି ନାହିଁ, ସେମାନେ ପ୍ରକୃତରେ ଦରିଦ୍ର। ପୁରୁଣା କାଳର ରାଜା ମହାରାଜା ହୁଅନ୍ତୁ ବା ଆଜିର କୋଟିପତି, ସେମାନେ ସର୍ବଦା ଧନ କାଙ୍ଗାଳ ହୋଇ ରହନ୍ତି। ସେମାନଙ୍କୁ ପ୍ରକୃତରେ ଦରିଦ୍ର ବୋଲି ହିଁ କୁହାଯିବ।
ଏବେ ଶୁଣ ମୋ ହିସାବରେ ପୃଥିବୀର ସର୍ବଶ୍ରେଷ୍ଠ ଧନୀ କିଏ? ‌େସମାନେ ଦୁଇ ଜଣ ସନ୍ନ୍ୟାସୀ। ଜଣେ ହେଲେ ଗୌତମ ବୁଦ୍ଧ ଏବଂ ଅନ୍ୟ ଜଣକ ମହାବୀର। ଦୁହେଁ ରାଜକୁଳରେ ଜନ୍ମ ହୋଇଥିଲେ। ସେମାନଙ୍କ ପାଖରେ ରାଜ୍ୟ ଓ ଅକଳନ୍ତି ସଂପଦ ଥିଲା। ଚାହିଁଥିଲେ ସେ ଦୁଇ ଜଣ ସେ ସବୁର ପ୍ରଭୁ ହୋଇ ଥାଆନ୍ତେ। କିନ୍ତୁ ସେମାନେ ତାକୁ ପାଦରେ ଆଡ଼େଇ ଦେଲେ। ପ୍ରକୃତରେ ଧନୀ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କର କୌଣସି ଧନ ବା ସଂପଦ ଲାଗି ବୈକଲ୍ୟ ବା ତୃଷ୍ଣା ନ ଥାଏ। ବୁଦ୍ଧ ଓ ମହାବୀର ସେହି ଭଳି ଥିଲେ।

ସମ୍ବନ୍ଧିତ ଖବର