ଜଣେ ଯୁବକ ସୁଫି ସନ୍ଥଙ୍କ ନିକଟକୁ ଯାଇ କହିଲା- ଈଶ୍ବରଙ୍କୁ ପାଇବି କେମିତି? 
ସନ୍ଥ କହିଲେ- ମୁଁ ଏବେ କୂଅ ନିକଟକୁ ପାଣି ଭରିବା ଲାଗି ଯାଉଛି। ମୋ ସହିତ ଚାଲ। ଯଦି କୂଅରୁ ଫେରିବା ବେଳକୁ ମୋ ସହିତ ଥିବ, ତେବେ ବାଟଟି କହିଦେବି।
କୂଅ ପାଖରେ ବଡ଼ ବାଲଟିଟିଏ ଥୁଆ ହୋଇଥିଲା। ସାଧୁ ନିଜ ବାଲଟିରେ ପାଣି ଉଠାଇ ତହିଁରେ ପୂରାଇଲେ। ଯୁବକ ଦେଖିଲା ଯେ ଯେଉଁ ବାଲଟିରେ ପାଣି ପୂରାଯାଉଛି, ତା’ର ତଳ ଅଂଶଟି ନାହିଁ। ସୁତରାଂ, ପାଣି ପଶିବା ମାତ୍ରକେ ବାହାରି ଯାଉଛି। ଏମିତି ହେଲେ ‌େଯାଜନ ‌େଯାଜନ ବର୍ଷ ବିତିଗଲେ ବି ବାଲଟି ପୂରିବ ନାହିଁ। 
ସନ୍ଥ କିନ୍ତୁ ସେଥି ପ୍ରତି ନିଘା‌ ନ ଦେଇ ପାଣି ଭରି ଚା‌ଲିଥିଲେ। ସକାଳୁ ଯାଇ ମଧ୍ୟାହ୍ନ ହେଲା। ଏବେ ଯୁବକର ସଂପୂର୍ଣ୍ଣ ଧୈର୍ଯ୍ୟଚ୍ୟୁତି ଘଟି ସାରିଥିଲା। ସେ କହିଲା- ଆପଣ କ’ଣ କରୁଛନ୍ତି? ଏମିତି କ’ଣ ବାଲଟି ପୂର୍ଣ୍ଣ ହେବ?
ସନ୍ଥ କିଛି ଶୁଣିଲେ ନାହିଁ କି କହିଲେ ନାହିଁ। ସେମିତି ପାଣି ପୂରାଇ ଚାଲିଲେ। ଯୁବକ ଏଥର ବିରକ୍ତ ହୋଇ ଫେରିଗଲା ଓ ଗାଁର ଜଣେ ଗୁଣୀ ଲୋକଙ୍କୁ ଏ ଅଜବ କଥା କହିଲା। 
ଗୁଣୀ ଲୋକ କହିଲେ- ବାଲଟିର ତଳଟି ନାହିଁ ବୋଲି କ’ଣ ସାଧୁଙ୍କୁ ଜଣା ନ ଥିବ? ତଥାପି ସେ ସେମିତି କାହିଁକି କରୁଛନ୍ତି? ମୋ ସହିତ ଚାଲ ପଚାରିବା।
ଦୁହେଁ ଯାଇ ସାଧୁଙ୍କୁ ସେ କଥା ପଚାରିଲେ।
ସାଧୁ ସେହି ଗୁଣୀ ଲୋକଙ୍କୁ ପୂର୍ବରୁ ଜାଣିଥିଲେ। ସେ ତାଙ୍କୁ କହିଲେ- ଏ ପିଲାଟି ଈଶ୍ବରଙ୍କୁ ଖୋଜିବାକୁ ଆସିଥିଲା, କିନ୍ତୁ ତା’ର ଧ୍ୟାନ ତ ଅନ୍ୟ ଠି! ସେ ଈଶ୍ବରଙ୍କୁ ପାଇବ କେମିତି? ଦେଖ, ତୁମେ ଯଦି ବାଲଟି ଭରିବାକୁ ଚାହ, ତେବେ ଧ୍ୟାନ ସର୍ବଦା ବାଲଟିର ଫନ୍ଦରେ ରହିବ, କାରଣ ପାଣି ଭରି ଆସିଲେ ପତ୍ତନ ସେଇଠି ପହଞ୍ଚିବ। ମୋର ଧ୍ୟାନ ସେଇଠି। କିନ୍ତୁ ଏ ବାବୁ ବାଲଟି ତଳକୁ ଦେଖି କହୁଛି ପାଣି ଭରିବ ନାହିଁ। 
ଗୁଣୀ ଲୋକ ଏବେ ଫେରିଲେ ଏବଂ ଯୁବକକୁ କହିଲେ- ବୁଝିଲ ତ କଥାର ମର୍ମ! ଈଶ୍ବରଙ୍କୁ ପାଇବା ଲାଗି ଗୋଟିଏ ବିନ୍ଦୁରେ ଲକ୍ଷ୍ୟ ରହିବ, ଯହିଁରୁ ଧ୍ୟାନ ହଟିବ ନାହିଁ। ଆଉ ସେଥିରେ ତୁମର ମସ୍ତିଷ୍କ ଗଢ଼ା ବିଚାର, ଚତୁରତା ଓ ଚାଲାକି ଚଳିବ ନାହିଁ। କେବଳ ଗୋଟିଏ ଲକ୍ଷ୍ୟରେ ପ୍ରୟାସ ଚାଲିବ। ଯେତେ ଅର୍ଥହୀନ ଲାଗିଲେ ବି ତାହା ହିଁ ଈଶ୍ବର ପ୍ରାପ୍ତିର ସାଧନା।