ଥରେ ମୁଲ୍ଲା ନସିରୁଦ୍ଦିନ ତାଙ୍କ ବନ୍ଧୁମାନଙ୍କୁ ଏକ ଉପଦେଶ ଦେଇ କହିଲେ ଯେ କେବେ ହେଲେ ପତ୍ନୀଙ୍କ ବୁଦ୍ଧିରେ ପଡ଼ିବ ନାହିଁ। ପଡ଼ିଲେ ହଇରାଣ ହେବ।
ବନ୍ଧୁମାନେ କହିଲେ- ଏମିତି କେମିତି କହୁଛ?
ମୁଲ୍ଲା କହିଲେ- ମୋ ଅନୁଭୂତିରୁ କହୁଛି। ଶୁଣ। ଆମ ଘର ଆଗରେ ଯେଉଁ ଶୁକୁଟା ଦୁର୍ବଳ ବୁଲା କୁକୁରଟି େଶାଇଛି, ତା’ ଉପରେ ମୋ ପତ୍ନୀଙ୍କ ଭାରି ରାଗ। ସେ ଚାହିଁଲେ କେମିତି ତାକୁ ତଡ଼ିବେ। ମୁଁ ଯେତେ ଉପାୟ କଲି କିଛି ଲାଭ ହେଲା ନାହିଁ। ସେ ଜମାରୁ ଗଲା ନାହିଁ।
ଏହା ଦେଖି ମୋ ପତ୍ନୀ ବିରକ୍ତ ହୋଇ କହିଲେ- ମୁଲ୍ଲା ତୁମ ଭଳି ନିକମା ହାତରେ ଖଡ଼ା ସିଝିବ ନାହିଁ। ମୋ କଥା ମାନ। ଏକାଥରକେ କାମ ଫତେ ହେବ।
ମୁଁ ପଚାରିଲି- କୁହ, କ’ଣ କରିବା?
ପତ୍ନୀ କହିଲେ- ଖାଦ୍ୟର ଲୋଭ ଦେଖାଇ ଡାକି ନେଇ ଆମ ଗାଁ ପାଖ ଜଙ୍ଗଲ ଭିତରକୁ ନେଇ ଯାଅ। ଜଙ୍ଗଲ ମଝିରେ ତାକୁ ଛାଡ଼ି ଚୁପ କିନା ଖସି ଆସ।
ମୁଁ ତାହା ହିଁ କଲି। ପର ଦିନ କୁକୁରକୁ ଧରି ଜଙ୍ଗଲ ଭିତରକୁ ଯାଇ ଅଗନାଅଗନି ବଣ ଭିତରେ ତାକୁ ଛାଡ଼ି ଚୁପ କିନା ଖସି ଆସିଲି। କିନ୍ତୁ ଦେଖ, ଆଉ ବାଟ ପାଇଲି ନାହିଁ। ସନ୍ଧ୍ୟା ହୋଇ ଆସିଲା। ମୋ ବୁଦ୍ଧି ହଜିଗଲା।
ଏହା ଶୁଣୁଥିବା ଜେଣ ବନ୍ଧୁ ଉଦ୍ବିଗ୍ନତାର ସହିତ ପଚାରିଲେ- ତାହା ହେଲେ କ’ଣ ପୁଣି କଲ?
ମୁଲ୍ଲା କହିଲେ- କ’ଣ ଆଉ କରିବି। ଭଗବାନଙ୍କୁ ଡାକିଲି। ଦୈବାତ୍ ସେଇ କୁକୁରକୁ ହାବୁଡ଼ିଲି। ଏବେ ତା’ ପଛେ ପଛେ ଚାଲି ଚାଲି ଘରକୁ ଫେରିଲି।
ମୁଲ୍ଲାଙ୍କ ଅନୁଭୂତି
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2019/11/footf.jpg)