ଦିନେ ପ୍ରଭାତରେ ସୁଫି ସନ୍ଥ ରାବିୟାଙ୍କ କୁଡ଼ିଆରେ ପହଞ୍ଚିଗଲେ ସନ୍ଥ ହସନ। ଦୁହେଁ କଥାବାର୍ତ୍ତା ହେଉଥିବା ସମୟରେ ଜଣେ ବ୍ୟକ୍ତି ଆସି ପହଞ୍ଚିଲେ ଏବଂ ତାଙ୍କ ମୁଣାରୁ କିଛି ସୁନା ଅସରପି ବାହାର କରି ହସନଙ୍କ ପାଦ ତଳେ ଥୋଇଦେଲେ। ଏ କଥାରେ ଉତ୍ତ୍ୟକ୍ତ ହୋଇଉଠିଲେ ହସନ। ସେ କହିଲେ- ତୁମେ କେଡ଼େ ନିର୍ବୋଧ ସତେ! ଆମେମାନେ ଫକିର ବୋଲି ଜାଣି ସୁଦ୍ଧା କେମିତି ସୁନା ଅସରପି ଆଣି ଆମ ପାଖରେ ଥୋଉଛ? ତୁମେ ଜାଣିନାହଁ କି ଆମ ଲାଗି ସୁନା ଓ ମାଟି ଭିତରେ କିଛି ଫରକ ନାହିଁ?
ଭେଟି ଆଣିଥିବା ବ୍ୟକ୍ତିଜଣକ ନିରବରେ ଛିଡ଼ା ହୋଇଥାଆନ୍ତି।
ଏହି ସମୟେର ରାବିୟା କହିଲେ- ହସନ ତୁମେ ମିଛ କହୁଛ କାହିଁକି? ତୁମ ଭିତରେ ସୁନା ଲାଗି ମୋହ ତ ରହିଛି! ତୁମେ ତାହା ସ୍ବୀକାର କରୁନ କାହିଁକି?
ହସନ ଏ କଥା ଶୁଣି ଆହୁରି ଚିଡ଼ିଯାଇ କହିଲେ- ତୁମ ମୁଣ୍ଡ ଠିକ୍ ଅଛି ତ ରାବିୟା?
ରାବିୟା କହିଲେ- ଯଦି ତୁମ ଲାଗି ସୁନା ମାଟି ସହିତ ସମାନ, ତେବେ ତୁମେ ଏତେ ଉତ୍ତ୍ୟକ୍ତ ହୋଇ ଯାଉଛ କାହିଁକି? ସେ ଯଦି ତୁମ ପାଦ ତଳେ ମାଟି ମୁଠାଏ ଆଣି ଥୋଇ ଥାଆନ୍ତେ, ତେବେ ତୁମେ ଏଭଳି ରାଗି ଥାଆନ୍ତ କି? ଏହାର ଅର୍ଥ ତୁମ ଭିତରେ ସୁନାର ମୋହ ଅଛି, ତୁମେ କେବଳ ତାକୁ ଦବାଇ ରଖିଛ। ତୁମ ମନରୁ ସୁନା ନିଶ୍ଚିହ୍ନ ହୋଇଯାଇନାହିଁ। ତାହା ନିଶ୍ଚିହ୍ନ ହୋଇଗଲେ ସୁନା ସତରେ ମାଟି ଭଳି ଦିଶିବ।
ହସନ ଏଥର ପ୍ରକୃତିସ୍ଥ ହେଲେ। କାରଣ ରାବିୟାଙ୍କ କଥାର ସତ୍ୟତା ସେ ବୁଝି ପାରୁଥିଲେ। ରାବିୟା ଏବେ ସୁନା ଅସରପି ଆଣିଥିବା ବ୍ୟକ୍ତିଙ୍କୁ କହିଲେ- ଭାଇ, ତୁମକୁ ଧନ୍ୟବାଦ। ଆମ ପ୍ରତି ତୁମର ସ୍ନେହ ଲାଗି ଧନ୍ୟବାଦ। ଏବେ ଏ ସୁନା ଅସରପି ନେଇ ଯେଉଁ ଲୋକ ଲାଗି ଏହା ଲୋଡ଼ା, ତାକୁ ଦେଇ କହିବ ଯେ ହସନ ଦେଇଛନ୍ତି!
ସେହି ଲୋକ ସୁନା ଅସରପି ନେଇ ଚାଲିଗଲା। ହସନ ମଧ୍ୟ ଅନୁତପ୍ତ ହେଲେ!
କଥାଟିଏ-ଯାଯାବର: ହସନ ଓ ରାବିୟା
ଦିନେ ପ୍ରଭାତରେ ସୁଫି ସନ୍ଥ ରାବିୟାଙ୍କ କୁଡ଼ିଆରେ ପହଞ୍ଚିଗଲେ ସନ୍ଥ ହସନ। ଦୁହେଁ କଥାବାର୍ତ୍ତା ହେଉଥିବା ସମୟରେ ଜଣେ ବ୍ୟକ୍ତି ଆସି ପହଞ୍ଚିଲେ ଏବଂ ତାଙ୍କ ମୁଣାରୁ କିଛି ସୁନା ଅସରପି ବାହାର କରି ହସନଙ୍କ ପାଦ ତଳେ ଥୋଇଦେଲେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)