ଜଙ୍ଗଲ ଭିତରେ ସବୁ ପଶୁପକ୍ଷୀଙ୍କ ଭିତରେ ମୂଷାଟିଏ ରହିଥାଏ। ଶ୍ବାପଦ ସ˚କୁଳ ଜଙ୍ଗଲ ଭିତରେ ଭାରି ସତର୍କତାର ସହିତ ମୂଷା ପରିବାର କାଳ କାଟୁଥାନ୍ତି। ଦିନେ ମୂଷା ଦ˚ପତିଙ୍କ ଏକମାତ୍ର ପୁଅ ତା’ର ବାପାଙ୍କୁ ପଚାରିଲା- ବାପା, ଏମିତି ଜୀବନଟିଏ ପାଇ ବଞ୍ଚିବାରେ ଲାଭ କ’ଣ?
ବାପା କହିଲେ- ପୁଅ, ଏ ବିଷୟରେ ମୁଁ କେବେ ବି ଭାବିନାହିଁ। ମୁଁ ସଦାବେଳେ ଭାବି ଆସିଛି ଯେ ମୁଁ ହେଲି ମୂଷା, ତେଣୁ ମୂଷା ଭଳି ବଞ୍ଚିବା ଛଡ଼ା ଅନ୍ୟ ବାଟ ନାହିଁ।
ପୁଅ କହିଲା- ଏହା ହେଉଛି ଭଗବାନଙ୍କ ଅନ୍ୟାୟ। ଆମେ କାହିଁକି ଜଙ୍ଗଲ ଭିତରେ ମୁଣ୍ତ ଟେକି ଚାଲିପାରିବା ନାହିଁ? କାହିଁକି ପ୍ରତି ପଦକ୍ଷେପରେ ଆମେ କୁନୁକୁନୁ ହୋଇ ଚାରିଆଡ଼କୁ ଚାହୁଁଥିବା? ବାପା କହିଲେ- ଈଶ୍ବରଙ୍କ ସୃଷ୍ଟିରେ ସମସ୍ତଙ୍କ ସକାଶେ ଜାଗା ଅଛି। ଆମେ ଯେମିତି ହାତୀକୁ ଡରୁଛୁ, ସେମିତି ହାତୀ ବି କାହାକୁ ଡରୁଥିବ। ସେଥିରେ ଯାଏଆସେ ନାହିଁ। ଅପେକ୍ଷା କର, ଆମର ବି ସୁଦିନ ଆସିବ। ବିଜୟର କ୍ଷଣ ଆସିବ।
ଥର ଗ୍ରୀଷ୍ମ ଦିନରେ ବହୁତ ଖରା ହେଲା। ନଈ ପୋଖରୀ ଶୁଖିଗଲା। ପାଣି ପାଇଁ ହାହାକାର ପଡ଼ିଗଲା। ବିପଦ ସମସ୍ତଙ୍କ ଉପରେ ପଡ଼ିଲେ ଶତ୍ରୁ ବି ମିତ୍ର ହୋଇଯାଆନ୍ତି। ଏବେ ମୂଷା ପରିବାର ଟିକିଏ ସାହସରେ ବାହାରକୁ ବାହାରିଲେ। ଏଇ ସମୟରେ ଜଙ୍ଗଲ ଭିତରେ ଥିବା ପାହାଡ଼ କାନ୍ଥରେ କାନ ଦେଇ ବୁଢ଼ା ମୂଷା କହିଲା ପର୍ବତ ପେଟରେ ରହିଛି ଏକ ପାଣିର ଭଣ୍ତାର। 
ତା’ କଥାରେ ସମସ୍ତେ ଖୁସି ହେଲେ। ହାତୀ ତାର ଥୋଡ଼କୁ ପର୍ବତର କାନ୍ଥରେ ପିଟି ପିଟି ଲହୁଲୁହାଣ ହେଲା, କିନ୍ତୁ ପର୍ବତ ଫାଟି ପାଣି ବାହାରିଲା ନାହିଁ। ଏତିକି ବେଳେ ବୁଢ଼ା ମୂଷା କହିଲା- ଆଜ୍ଞା, ଅନୁମତି ଦେଲେ ମୋ ପୁଅ ଚେଷ୍ଟା କରନ୍ତା। 
ଏ କଥାରେ ହାତୀ ହୋ ହୋ ହୋଇ ହସି ଗଡ଼ିଗଲା। କିନ୍ତୁ ମୂଷା ପୁଅ ଜାଣିଲା ଯେ ବାପା କହିଥିବା ଭଳି ବିଜୟର କ୍ଷଣ ଆସିଛି। ତେଣୁ ସେ ପାହାଡ଼ରେ ଗାତ ଖେଳିବା ଆରମ୍ଭ କଲା। ତା’ ପରେ ଯାହା ହେଲା, ତାହା କହିବାର ଆବଶ୍ୟକତା ନାହିଁ।