ଜଣେ ନାଉରିଆ ଥିଲା। ଥରେ ସେ ନଦୀ ଘାଟରେ ବସିଥିଲା ବେଳେ ଜଣେ ପଣ୍ତିତ ସେଠାକୁ ଆସିଲେ। ସେ ବିଭିନ୍ନ କାରଣରୁ ଭାରି ଦୁଃଖରେ ଥିଲେ। ତାଙ୍କ ପତ୍ନୀଙ୍କ ସହିତ ତାଙ୍କର ପଡୁ ନ ଥିଲା। ପିଲାମାନେ ବି ତାଙ୍କୁ ମାନୁ ନ ଥିଲେ। ସେ ବିମର୍ଷ ଚିତ୍ତରେ ନଉକା ଚଢ଼ିଲେ। ନାଉରି ମନଖୁସିରେ ଗୀତ ଗାଇ ନାଆ ବାହୁଥାଏ। ପଣ୍ତିତେ ତାକୁ ପଚାରିଲେ- ତୁମ ମନରେ କ’ଣ ଟିକିଏ ବି ଦୁଃଖ ନାହିଁ? ତୁମେ ଏତେ ଆନନ୍ଦରେ ଗୀତ ଗାଉଛ କିପରି? 
ନାଉରି କହିଲା- ଆପଣ ତ ଶିକ୍ଷାଦୀକ୍ଷା ଥିବା ଲୋକ ଭଳି ଲାଗୁଛନ୍ତି। ମୁଁ ହେଲି ମୂର୍ଖ। ଆପଣ କେମିତି ଭାବୁଛନ୍ତି ଯେ ମୋ ଜୀବନରେ ଦୁଃଖ ନାହିଁ ବୋଲି? ମୋର ବହୁତ ଦୁଃଖ। ମୁଁ ଦରିଦ୍ର। ମୋ ପୁଅ ବିକଳାଙ୍ଗ। ମୋ ପତ୍ନୀ ରୋଗଗ୍ରସ୍ତା। ମୁଁ ଋଣରେ ବୁଡ଼ିକରି ଅଛି। ଯାହା ଉପାର୍ଜନ କରେ ସେଥିରେ ପରିବାର ଚଳାଇବା କଷ୍ଟକର। ଏମିତି ବହୁତ ଦୁଃଖ। ମୋ ଡଙ୍ଗା ବି ଖରାପ ହୋଇ ଆସିଲାଣି। ତାକୁ କେମିତି ମରାମତି କରିବି ତା’ ବି ଜାଣେନା। 
ପଣ୍ତିତ କ୍ଷଣିକ ଲାଗି ଆଉ କିଛି କହିପାରିଲେ ନାହିଁ। ପରେ ସେ ପଚାରିଲେ- ଏ ସବୁ ସତ୍ତ୍ବେ ତୁମେ ଏତେ ଆନନ୍ଦରେ ଗୀତ ବୋଲି ପାରୁଛ କେମିତି?
ନାଉରି କହିଲା- ଦେଖନ୍ତୁ ମୋ ଡଙ୍ଗାକୁ। ନଦୀର ସ୍ରୋତରେ କେମିତି ଭାସି ଚାଲିଛି। ଆପଣ ମୋ ଡଙ୍ଗାର ଭାସିବାର ଆନନ୍ଦ ଅନୁଭବ କରିପାରୁଛନ୍ତି ତ? ଯେଉଁ ଦିନ ମୋ ଡଙ୍ଗା ସ୍ରୋତର ଉଜାଣିରେ ଭାସିବାକୁ ଇଚ୍ଛା କରିବ, ତା’ର ଦୁଃଖ ସେଇ ଦିନ ଆରମ୍ଭ ହେବ। ମୁଁ ସେମିତି ଜୀବନର ସ୍ରୋତରେ ଭାସିଚାଲିଛି। ସକାଳୁ ସବୁ ଦିନ ପ୍ରଭୁଙ୍କୁ ପ୍ରାର୍ଥନା କରେ ଯେ ପ୍ରଭୁ ତୁମ ଇଚ୍ଛାରେ ସବୁ ଘଟୁ। ମୁଁ ସ୍ରୋତର ଅନୁକୂଳରେ ଭାସିଚାଲେ। ମୋତେ ସେଥି ଲାଗି ସାହସ ଦିଅ।
ପଣ୍ତିତ ପଚାରିଲେ- ତାହା ହେଲେ କ’ଣ ତୁମ ଦୁଃଖର ସମାଧାନ ଲାଗି ତୁମେ ଚେଷ୍ଟା କରନା।
ନାଉରି କହିଲା- କରେ, କିନ୍ତୁ କଷ୍ଟ କାହିଁକି ପଡ଼ିଲା ବୋଲି ଭାବି ଦୁଃଖ କରେନା। ଯେତିକି ସମାଧାନ ସମ୍ଭବ ହୁଏ, ସେତିକି କରେ। ଯାହା ଘଟେ ତାହା ସେ ଘଟାଉଛନ୍ତି ବୋଲି ଭାବେ। ଯାହା ମିଳିଲା ତାକୁ ପ୍ରସାଦ ବୋଲି ମଣେ!