ଶ୍ରେଷ୍ଠ ଦାନୀ

କଥାଟିଏ-ଯାଯାବର

ରାଜାଙ୍କ ଦରବାରରେ ପହଞ୍ଚିଲେ ଜଣେ ଫକିର। ସେହି ରାଜା ଦାନୀ ବୋଲି ସୁନାମ ଥିଲା। ସୁତରାଂ, ଫକିରଙ୍କୁ ରାଜା ଏକ ସୁବର୍ଣ୍ଣ ମୁଦ୍ରା ଦେଲେ। କିନ୍ତୁ ଫକିର ତାହା ଗ୍ରହଣ କରିବା ପରେ ରାଜାଙ୍କ ସାମନାରେ ତାକୁ ତଳେ ପକାଇ ପାଦରେ ଦଳି ଦେଲେ। ଏଥିରେ ରାଜାଙ୍କ ଦରବାରରେ ବିସ୍ମୟ ଓ କ୍ରୋଧର ଭାବ ଖେଳିଗଲା। ଜଣେ ପାରିଷଦ ଝପଟି ଯାଇ ମୁଦ୍ରାଟିକୁ ତଳୁ ଉଠାଇ ଦେବା ସହିତ ଫକିରଙ୍କୁ ପ୍ରହାର କରିବାକୁ ଉଦ୍ୟତ ହେଲେ।
ଏହା ଦେଖି ରାଜା ତାଙ୍କୁ ଅଟକାଇଲେ ଏବଂ କହିଲେ- ୟେ କ’ଣ କରୁଛ?
ସଭାସଦ୍‌ମାନେ କହିଲେ- ଏହା ଉଚିତ ହେବ ମଣିମା। ସେ ଆପଣଙ୍କ ସମ୍ମାନ ହାନି କରୁଛନ୍ତି। ସେ ନିଜ ଆସ୍ପର୍ଦ୍ଧା ପାଇଁ ଦଣ୍ଡ ପାଇବାକୁ ଯୋଗ୍ୟ।
ରାଜା କହିଲେ- ପ୍ରଥମ କଥା ତ ମୋ ସମ୍ମାନରେ କୌଣସି ହାନି ହୋଇନାହିଁ। ମୁଁ ତାହା ତାଙ୍କୁ ଦାନ ଭାବେ ଦେବା ପରେ ତାହା ସଂପୂର୍ଣ୍ଣ ଭାବେ ତାଙ୍କର ସଂପତ୍ତି। ତା’ ସହିତ ସେ କିଭଳି ଆଚରଣ କରିବେ, ତାହା ତାଙ୍କର ନିଜସ୍ବ ନିଷ୍ପତ୍ତି। ଦାନ ଦେଇଥିବା ବସ୍ତୁ ସହିତ ଦାତାର କୌଣସି ଆବେଗିକ ସଂପର୍କ ରହିବା ଅନୁଚିତ। ଦ୍ବିତୀୟ କଥା ସେ ଜଣେ ବୈରାଗୀ, ଫକିର। ସେ କୌଣସି ରାଜାର ଅଧୀନ ନୁହନ୍ତି।
ଫକିର କହିଲେ- ଆଗରୁ ମୁଁ ଶୁଣିଥିଲି ଏବଂ ଏବେ ପରୀକ୍ଷା କରି ଦେଖିଲି ଯେ ଆପଣ ହେଉଛନ୍ତି ଶ୍ରେଷ୍ଠ ଦାନୀ।

ସମ୍ବନ୍ଧିତ ଖବର