ଅହଂ କ’ଣ?

କଥାଟିଏ-ଯାଯାବର

ଶିଷ୍ୟ ଗୁରୁଙ୍କୁ ପଚାରିଲା ଅହଂ କ’ଣ?
ଗୁରୁ କହିଲେ- ବେଳ ଆସିଲେ ବୁଝାଇ ଦେବି।
ଏହାର କିଛି ଦିନ ଭିତରେ ବେଳ ଆସିଗଲା। ଦିନେ ସେମାନେ କୌଣସି ଏକ ସ୍ଥାନ ଦେଇ ଯାଉଥିବା ବେଳେ ‘ହାତୀ, ହାତୀ’ ବୋଲି ଚିତ୍କାର ଶୁଣିଲେ। ଶିଷ୍ୟ କହିଲା- ଆସନ୍ତୁ
ଆଜ୍ଞା ଲୁଚିଯିବା।
ଗୁରୁ କହିଲେ- ଏବେ ନୁହେଁ।
ଏହା କହି ସେମାନେ ଆଗକୁ ଚାଲିଲେ। କିଛି ସମୟ ପରେ ମତ୍ତ ହାତୀଟି ଦିଶିଲା।
ଶିଷ୍ୟ କହିଲା- ଏବେ ଚାଲନ୍ତୁ ଗୋଟିଏ ସୁରକ୍ଷିତ ସ୍ଥାନକୁ ଚାଲିଯିବା।
ଗୁରୁ କହିଲେ- ଏବେ ନୁହେଁ।
ଏହା କହି ସେମାନେ ପୁଣି ଆଗକୁ ଚାଲିଲେ। କିଛି କ୍ଷଣ ପରେ ହାତୀ ସେମାନଙ୍କୁ ‌େଦଖି ଛିଡ଼ା ହୋଇଗଲା।
ଶିଷ୍ୟ କହିଲା- ଏବେ ତ ପଳାୟନ କରିବା! ଗୁରୁ କିଛି ନ କହି ଆଗକୁ ଚାଲିଲେ।
ଏବେ ହାତୀଟି ସେମାନଙ୍କ ଆଡ଼କୁ ଗୋଡ଼ାଇ ଆସିଲା। ଏବେ ଗୁରୁ ଚିତ୍କାର କରି କହିଲେ- ଏବେ ପଳାଇବା।
କୌଣସିମତେ ପ୍ରାଣ ବଂଚିଯିବା ପରେ ଶିଷ୍ୟ ଗୁରୁଙ୍କ ବିଚିତ୍ର ବ୍ୟବହାରର କାରଣ ବିଷୟରେ ପଚାରିବାରୁ ଗୁରୁ କହିଲେ- ତୁ ଅହଂ ବିଷୟରେ ପଚାରିଥିଲୁ ପରା! ଏବେ ଶୁଣ। ତୋତେ ମୂଳରୁ ଅହଂ ଗ୍ରାସିଛି, ତେଣୁ ହାତୀ କଥା ଶୁଣୁ ଶୁଣୁ ତୁ ଭାବିଲୁ ଯେ ତାହା ତୋତେ ଆକ୍ରମଣ କରିବ। କିନ୍ତୁ ହାତୀଟି ରାସ୍ତାରେ ଯାଉଥିବା ପର୍ଯ୍ୟନ୍ତ ମୁଁ ଭାବିଥିଲି ହାତୀଟି ଯାଉଛି। କିନ୍ତୁ ଯେତେବେଳେ ସେ ଆମ ଅାଡ଼କୁ ଗୋଡ଼ାଇ ଆସିଲା, ସେତେବେଳେ ଜାଣିଲି ଯେ ନ ଦୌଡ଼ିଲେ ମୁଁ ମଲି। ସେଇଠି ମୋ ମନରେ ଅହଂ ଜାଗ୍ରତ ହେଲା। ସେତିକି ଅହଂ ମଧ୍ୟ ଜରୁରୀ, କାରଣ ତାହା ତୁମର ପ୍ରାଣରକ୍ଷା କରିବ।

ସମ୍ବନ୍ଧିତ ଖବର